ବିଜୟଲକ୍ଷ୍ୟରେ ଭାରତ

ସେଞ୍ଚୁରିଅନ କେପଟାଉନ ଭଳି ସେଞ୍ଚୁରିଅନରେ ମଧ୍ୟ ଭାରତ ଅଠାକାଠିରେ ପଡ଼ିଛି। ଦକ୍ଷିଣ ଆଫ୍ରିକା ୨୮୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ଘରୋଇ ଦ୍ରୁତ ବୋଲରଙ୍କ ବଲ୍‌କୁ ବୁଝି ପାରୁ ନଥିବା ଭାରତ ମଙ୍ଗଳବାର ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍‌ ହରାଇ ମାତ୍ର ୩୫ ରନ୍‌ କରିଛି। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମୁରଲୀ ବିଜୟ ଏବଂ ଲୋକେଶ ରାହୁଲଙ୍କ ସହ ଅଧିନାୟକ ବିରାଟ କୋହଲି ପାଭିଲିୟନ ଫେରି ଯାଇଛନ୍ତି। । ଏଣୁ ବୁଧବାର ମ୍ୟାଚ୍‌ ବଞ୍ଚାଇ ପାରିଲେ ଭାରତୀୟ ଦଳ ପାଇଁ ଏହା ବଡ଼ ସଫଳତା ହେବ।

ଚଳିତ ୨ୟ ଟେଷ୍ଟମ୍ୟାଚ୍‌ ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି । ଭାରତକୁ ଏହି ମ୍ୟାଚ୍‌ ଜିତିବା ସହ ସିରିଜ୍‌କୁ ୧-୧ କରିବା ପାଇଁ ୨ୟ ଇନିଂସରେ ୨୮୭ ରନ୍‌ କରିବାକୁ ପଡ଼ିବ । ମଙ୍ଗଳବାର ୪ର୍ଥ ଦିନରେ ଘରୋଇ ଦକ୍ଷିଣ ଆଫ୍ରିକା ୨ୟ ଇନିଂସରେ ୨୫୮ ରନ୍‌କରି ଅଲ୍‌ଆଉଟ ହୋଇଯିବାରୁ ଭାରତକୁ ୨୮୭ ରନ୍‌ର ବିଜୟଲକ୍ଷ୍ୟ ମିଳିଛି । ମହମ୍ମଦ ସାମିଙ୍କ ନେତୃତ୍ୱରେ ଭାରତୀୟ ପେସ୍‌ ବୋଲର ଚମକ୍ରାର ବୋଲିଂକରି ଭାରତକୁ ବିଜୟର ଆଶା ଦେଇଛନ୍ତି । ତେବେ ଭାରତର ୨ୟ ଇନିଂସ ଆରମ୍ଭରୁ ଝୁଣ୍ଟିଛି । ୪ର୍ଥ ଦିନ ଶେଷରେ ସ୍କୋର୍‌ ମାତ୍ର ୩୫ ରନ୍‌ ହୋଇଥିବା ବେଳେ ଦଳର ୩ ଜଣ ବ୍ୟାଟ୍‌ସମ୍ୟାନ୍‌ ଆଉଟ୍‌ ହୋଇ ଯାଇଛନ୍ତି ।

ଚା’ପାନ ବିରତି ପରେ ଭାରତ ୨ୟ ଇନିଂସ ଆରମ୍ଭ କରିବା ପରେ ୮ମ ଓଭରରେ ଏହା ପ୍ରଥମ ୱିକେଟ ହରାଇଥିଲା । ମୁରଲୀ ବିଜୟ ୯ ରନ୍‌କରି କାଗିସୋ ରାବାଡ଼ାଙ୍କ ଗତିରେ ପରାସ୍ତହୋଇ ବୋଲ୍‌ଡ ହୋଇଥିଲେ । ପରେ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‌ ଖେଳୁଥିବା ୨୧ ବର୍ଷ ବୟସ୍କ ଲୁଙ୍ଗ୍‌ ଏନ୍‌ଗିଡ଼ି ଭାରତକୁ ୨ଟି ଶକ୍ତ ଝଟ୍‌କା ଦେଇଥିଲେ । ୪ ରନ୍‌ କରିଥିବା କେ.ଏଲ୍‌. ରାହୁଲଙ୍କୁ ଆଉଟ କରିବା ପରେ ପ୍ରଥମ ଇନିଂସରେ ୧୫୩ ରନ୍‌ କରିଥିବା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ଏନ୍‌ଗିଡ଼ି ଆଉଟ୍‌ କରି ଦେଇଥିଲେ । କୋହଲି ୫ ରନ୍‌ କରି ପାରିଥିଲେ । ଷ୍ଟମ୍ପ୍‌ ଅପସାରଣ ବେଳକୁ ଚେତେଶ୍ୱର ପୂଜାରା ୧୧ ଓ ପାର୍ଥିବ ପଟେଲ ୫ ରନ୍‌କରି ଅପରାଜିତ ଅଛନ୍ତି । ହାତରେ ୭ଟି ୱିକେଟ ବାକିଥିବା ବେଳେ ଭାରତ ୨୫୨ ରନ୍‌ ଆବଶ୍ୟକ କରୁଛି ।

ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୮ ରନ୍‌ ଆଗରେ ରହିଥିଲା । ୩ୟ ଦିନ ଶେଷରେ ଦକ୍ଷିଣ ଆଫ୍ରିକା ୨ୟ ଇନିଂସରେ ୨ ୱିକେଟ ହରାଇ ୯୦ ରନ୍‌ କରିଥିଲା । ୪ର୍ଥ ଦିନରେ ଆଉ ୮ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକା ୧୬୮ ରନ୍‌ ଯୋଗ କରି ପାରିଥିଲା । ୪ର୍ଥ ଦିନରେ ଅଧିନାୟକ ଫାଫ୍‌ ଡୁ ପ୍ଲେସି ଲଢ଼ୁଆ ବ୍ୟାଟିଂ କରିଥିଲେ ହେଁ ତାଙ୍କ ୱିକେଟର ପତନ ପରେ ଦକ୍ଷିଣ ଆଫ୍ରିକାର ୨ୟ ଇନିଂସ ଜଲଦି ସମାପ୍ତ ହୋଇଥିଲା । ୩ ରନ୍‌ରେ ଦକ୍ଷିଣ ଆଫ୍ରିକା ୨ଟି ୱିକେଟ ହରାଇବା ପରେ ଓପ୍‌ନର ଡିନ୍‌ ଏଲ୍‌ଗାର ଓ ଏବି ଡି’ଭିଲିଅର୍ସ ଦଳର ସ୍ଥିତି ସୁଧାରି ପାରିଥିଲେ । ଦୁହେଁ ୩ୟ ୱିକେଟ ପାଇଁ ୧୪୧ ରନ୍‌ର ଭାଗିଦାରୀ କରିଥିଲେ ।

ତେବେ ମହମ୍ମଦ ସାମି କ୍ରମାଗତ ୩ଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକା ମଧ୍ୟକ୍ରମକୁ ଧ୍ୱସ୍ତ କରିଥିଲେ । ଏକ ମାରାତ୍ମକ ବଲ୍‌ରେ ଡି’ଭିଲିଅର୍ସ କଟ୍‌ ବିହାଇଣ୍ଡ ହୋଇଥିଲେ । ଡି’ଭିଲିଅର୍ସ ୧୨୧ ବଲ୍‌ରୁ ୧୦ଟି ଚୌକା ସହ ୮୦ ରନ୍‌ କରିଥିଲେ । ବାମହାତି ଡିନ୍‌ ଏଲ୍‌ଗାର ଲେଗ୍‌ସାଇଡ୍‌ର ଏକ ସର୍ଟ ପିଚ୍‌ ବଲ୍‌କୁ ବେପରୁଆ ଭାବେ ପୁଲ୍‌ମାରି ଆଉଟ ହୋଇଥିଲେ । ଏହା ପୂର୍ବରୁ  ୧୨୧ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୬୧ ରନ୍‌ କରିଥିଲେ । କ୍ୱିଣ୍ଟନ୍‌ ଡି କକ୍‌ କ୍ରମାଗତ ୩ଟି ବଲ୍‌ରେ ଚୌକାମାରିବା ପରେ ସାମିଙ୍କ ପରବର୍ତ୍ତୀ ବଲ୍‌କୁ ୱିକେଟ ରକ୍ଷକଙ୍କ ହାତକୁ ମାରିଥିଲେ । ୧୯ ରନ୍‌ ମଧ୍ୟରେ ୩ଟି ୱିକେଟ ପଡ଼ିଯିବା ପରେ ଫାଫ୍‌ ଡୁ ପ୍ଲେସି ଓ ଭର୍ନନ ଫିଲାଣ୍ଡର ୨୬ ଓଭର ବ୍ୟାଟିଂକରି ଭାରତୀୟ ବୋଲିଂକୁ ନିରାଶ କରିଥିଲେ ଏବଂ ୬ଷ୍ଠ ୱିକେଟ ପାଇଁ ମୂଲ୍ୟବାନ ୪୬ ରନ୍‌ର ଭାଗିଦାରୀ କରିଥିଲେ । ଫିଲାଣ୍ଡର ୨ଟି ଚୌକା ସହ ୨୬ ରନ୍‌ କରିଥିଲେ । ପରେ କେଶବ ମହରାଜ ୬ ରନ୍‌କରି ବିଦାୟ ନେଇଥିଲେ । କାଗିସୋ ରାବାଡ଼ାଙ୍କ ସହ ଡୁ ପ୍ଲେସି ଆଉ ୩୦ ରନ୍‌ ଯୋଡ଼ିବା ପରେ ରାବାଡ଼ା ୪ ରନ୍‌କରି ବିଦାୟ ନେଇଥିଲେ । ଡୁ ପ୍ଲେସିଙ୍କୁ ଚମକ୍ରାର ଭାବେ କଟ୍‌ ଏଣ୍ଡ୍‌ ବୋଲ୍‌ଡ କରି ଭାରତକୁ ଚମକ୍ରାର ସଫଳତା ଦେଇଥିଲେ ଯଶପ୍ରୀତ ବୁମ୍‌ରା । ଡୁ ପ୍ଲେସି କ୍ରମାଗତ ୨ୟ ଇନିଂସରେ ଭଲ ବ୍ୟାଟିଂକରି ୧୪୧ ବଲ୍‌ରୁ ୪ଟି ଚୌକା ସହ ୪୮ ରନ୍‌ କରିଥିଲେ । ସାମି ୪୯ ରନ୍‌ଦେଇ ୪ଟି ୱିକେଟ ପାଇଥିବା ବେଳେ ବୁମ୍‌ରା ୩ଟି ଓ ଈଶାନ୍ତ ଶର୍ମା ୨ଟି ୱିକେଟ ପାଇଥିଲେ ।

ପଢନ୍ତୁ ;

ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳିବ : ଓ୍ବେଷ୍ଟଇଣ୍ଡିଜ

Related posts

ଆଜି ଜବରଦସ୍ତ ମୁକାବିଲା: ଭାରତ ବନାମ ନେଦରଲ୍ୟାଣ୍ଡସ୍‌

ଆଇପିଏଲ-୧୨ ନିଲାମ: ଚୂଡାନ୍ତ ତାଲିକାରେ ୩୪୬ ଖେଳାଳି

ଆଜିଠୁ କ୍ୱାର୍ଟର ଫାଇନାଲ: ଆର୍ଜେଣ୍ଟିନା ବନାମ ଇଂଲଣ୍ଡ