ପ୍ରାୟତଃ ଡାଲଚିନିକୁ ରୋଷେଇଘରେ ଏକ ଗୁରୁତ୍ୱପୂର୍ଣ୍ଣ ମସଲା ରୂପେ ବ୍ୟବହାର କରାଯାଏ । କିନ୍ତୁ ଏହା ଛଡା ମଧ୍ୟ ଡାଲଚିନି ର ଅନେକ ଔଷଧୀୟ ଗୁଣ ରହିଛି ଯାହା ଶରୀରକୁ ରୋଗମୁକ୍ତ ସହ ସୁସ୍ଥ ଓ ନିରାମୟ ଜୀବନ ଯାପନ ବିତାଇବାରେ ସହାୟକ ହୋଇଥାଏ ।
ଚର୍ମ ଜନିତ ସମସ୍ୟା
ତ୍ୱଚା କିମ୍ବା ଚର୍ମ ଜନିତ ସମସ୍ୟା ଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ । ତ୍ୱଚାରେ ଜଳା ପୋଡା ସମସ୍ୟା ଦେଖାଦେଲେ ଡାଲଚିନି ଗୁଣ୍ଡ ସହ ମହୁର ପରିମାଣ ସମାନ ମାତ୍ରାରେ ମିଶାଇ ତାର ପେଷ୍ଟ ପ୍ରସ୍ତୁତ କରି ଲଗାଇବା ଦ୍ୱାରା ଏଥିରୁ ଉପଶମ ମିଳିଥାଏ । ଡାଲଚିନି ଗୁଣ୍ଡରେ ସାମାନ୍ୟ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ଦୂର ହୋଇଥାଏ ।
ଥଣ୍ଡା ଜ୍ୱର
ଥଣ୍ଡା ଜ୍ୱର ହୋଇଥିଲେ ଏକ ଚାମଚ ମହୁ ସହ କିଛି ମାତ୍ରାରେ ଡାଲଚିନି ଗୁଣ୍ଡ ମିଶାଇ ସକାଳ ଓ ସଂନ୍ଧ୍ୟାରେ ସେବନ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ । ଏହାଛଡା ହାଲକା ଗରମ ପାଣିରେ ଏକ ଚାମଚ ଡାଲଚିନି ଗୁଣ୍ଡ ଓ ଗୋଟେ ଚୁଟକି ଗୋଲମରିଚ ଗୁଣ୍ଡ ଏବଂ ମହୁ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ ।
ପେଟ ଜନିତ ସମସ୍ୟା
ବଦହଜମ ଭଳି ସମସ୍ୟା ହେଉଥିଲେ ଡାଲଚିନିର ବ୍ୟବହାର କରିପାରିବେ । ଗୋଟେ ଚାମଚ ମହୁ ସହିତ କିଛି ପରିମାଣରେ ଡାଲଚିନିର ଗୁଣ୍ଡ ମିଶାଇ ସେବନ କରିବା ଦ୍ୱାରା ବାନ୍ତି ତଥା ଗ୍ୟାସ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ ।
ଆଣ୍ଠୁ ଗଣ୍ଠି ଯନ୍ତ୍ରଣା
ସାଧାରଣତଃ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଅନୁଭବ କରୁଥିଲେ ଆପଣ ସାମାନ୍ୟ ଗରମ ପାଣିରେ ଡାଲଚିନିର ଗୁଣ୍ଡ ଓ ଟିକେ ମହୁକୁ ମିଶାଇ ଯନ୍ତ୍ରଣା ହେଉଥିବା ସ୍ଥାନରେ ମାଲିସ କରି୍ବା ଦ୍ୱାରା ଫାଇଦା ମିଳିଥାଏ । ଗୋଟେ କପ ଉଷୁମ ପାଣିରେ ଗୋଟେ ଚାମଚ ମହୁ ଏବଂ ଅଧା ଚାମଚ ଡାଲଚିନି ଗୁଣ୍ଡ ମିଶାଇ ସେବନ କରିବା ଦ୍ୱାରା ଏହି ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ମୁଖ ଜନିତ ସମସ୍ୟା
ମୁଖ ଜନିତ କୌଣସି ସମସ୍ୟା ଥିଲେ ଏହା ଏକ ଉତ୍ତମ ଔଷଧ ରୂପେ କାର୍ଯ୍ୟ କରେ । ପାଟିରେ ଘା ହେବା, ଦୁର୍ଗନ୍ଧ, ଦାନ୍ତ ବିନ୍ଧା ଆଦି ସମସ୍ୟାରୁ ମୁକ୍ତି ମିଳେ । ଅଳ୍ପ ଉଷୁମ ପାଣିରେ ଡାଲଚିନିର ଗୁଣ୍ଡ ମିଶାଇ କୁଳି କଲେ ଏହିସବୁ ଯନ୍ତ୍ରଣାରୁ ଉପସମ ମିଳେ ।
ମୋଟାପଣ ଦୂର
ମୋଟାପଣ ଦୂର କରିଥାଏ ଡାଲଚିନି । ତେବେ ଚାରେ ଏକ ଚାମଚ ଡାଲଚିନିର ଗୁଣ୍ଡ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।