ଆସନ୍ତା ଶିକ୍ଷା ବର୍ଷରୁ ଏଠାରେ ପାଠପଢା ଆରମ୍ଭ ହେବାକୁ ଥିବାବେଳେ ହାଇସ୍କୁଲ କ୍ୟାମ୍ପସରେ କିପରି ଜୁନିଅର କଲେଜ ଚାଲିବ ସେଥି ପାଇଁ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଦୈନିକ ଦୁଇଟି ସିଫ୍ଟରେ ସ୍କୁଲ ଚାଲିବାକୁ ଥିବାବେଳେ କ୍ଲାସ ରୁମ ଅଭାବ ଥିଲେ ଉଚ୍ଚ ମାଧ୍ୟମିକ ସ୍କୁଲ ସକାଳେ ୭ଟାରୁ ୧୧ଟା ମଧ୍ୟରେ ଚାଲିବାକୁ ଥିବାବେଳେ ଦିନ ୧୧ରୁ ଅପରାହ୍ଣ ୪ଟା ୩୦ ମିନିଟ୍ ଯାଏଁ ହାଇ ସ୍କୁଲ ଚାଲିବ। ଯୁକ୍ତ ଦୁଇରେ ଦୁଇଟି ସେକସନ୍ ହେବାକୁ ଥିବାବେଳେ ପ୍ରତି ସେକସନ୍ରେ ସର୍ବାଧିକ ୬୪ ଜଣ ଛାତ୍ରଛାତ୍ରୀ ରହିବେ। ପ୍ରାଥମିକ ପର୍ଯ୍ୟାୟରେ କଳା ଓ ବିଜ୍ଞାନ ବିଭାଗ ଖୋଲିବାକୁ ଥିବାରୁ ଏହି ବିଭାଗର ଶିକ୍ଷକ ନିଯୁକ୍ତି ଏବଂ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। କଳା ଓ ବିଜ୍ଞାନରେ ଓଡ଼ିଆ ଓ ଇଂରାଜୀକୁ ବାଧ୍ୟତାମୂଳକ ବିଷୟ ଭାବେ ପଢ଼଼଼ାଯିବ। ସେହିପରି ପ୍ରତ୍ୟେକ ସ୍କୁଲରେ କଳା ପାଇଁ ୬ଟି ପିଜିଟି ଓ ବିଜ୍ଞାନ ପାଇଁ ୭ଟି ପିଜିଟି ଶିକ୍ଷକ ପଦବୀ ସୃଷ୍ଟି ହୋଇଥିବାବେଳେ ୬୪୨ ଜଣ ପିଜିଟି ନୂଆ ନିଯୁକ୍ତି ପାଇବେ। ଉଭୟ ଅଫଲାଇନ୍ ଏବଂ ଅନଲାଇନ ଉପାୟରେ ନାମଲେଖା ପ୍ରକ୍ରିୟା ତ୍ୱରାନ୍ବିତ ହେବାକୁ ଥିବାବେଳେ ସମ୍ପୃକ୍ତ ସ୍କୁଲରୁ ମାଟ୍ରିକ ପାସ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖାକୁ +୨ରେ ପ୍ରାଥମିକତା ଦିଆଯିବ।