ଗତକାଲି ସନ୍ଧ୍ୟାରେ ଭୁବନେଶ୍ଵର ସ୍ଥିତ ଉତ୍କଳ ମଣ୍ଡପଠାରେ ୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଗୀତା କ୍ଷେତ୍ରରେ ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ସାଧନା ପାଇଁ ବରିଷ୍ଠ ଓ ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ସର୍ବଶେଷ୍ଠ ପୁରସ୍କାର ‘ଜୟଦେବ ପୁରସ୍କାର’ ପ୍ରଦାନ କରାଗଲା ।
ଉତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ଚିନି ଚଳଚ୍ଚିତ୍ରକୁ ‘ମୋହନ ସୁନ୍ଦର ଦେବ ଗୋସ୍ଵାମୀ ସମ୍ମାନ’ ପୁରସ୍କାର ପ୍ରଦାନ କରାଯାଇଛି । ଏଥିସହିତ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଅଜୟ ରଥ (ନାମର୍ଦ୍ଦ ), ଶ୍ରେଷ୍ଠ ଅଭିନେତା ଭାବରେ ସମରେଶ ରାଉତରାୟ (ନାମର୍ଦ୍ଦ )ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଲିପି (ମୀମାଂସା ) ପୁରସ୍କୃତ ହୋଇଛନ୍ତି ।
ଅନ୍ୟ ପୁରସ୍କାର ଗୁଡିକ :-
ଶ୍ରେଷ୍ଠ କାହାଣୀ – ଦିଲ୍ଲୀପ କୁମାର ଚୌଧୁରୀ (ନାମର୍ଦ୍ଦ )
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ – ଗୁଡଲି ରଥ (ତୁ କହିବୁ ନା ମୁଁ )
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ – ଶଶାଙ୍କ ଶେଖର (ଦିନେ ଫୁଟିଗଲା ଫୁଲ – ତୁ କହିବୁ ନା ମୁଁ )
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକା – ମହାଲକ୍ଷ୍ମୀ ଆୟର (ଢେଉ ଫେରେ – ମୀମାଂସା)
ଶ୍ରେଷ୍ଠ ଚିତ୍ରଗ୍ରହଣ – ଦିଲ୍ଲୀପ ରାୟ (ଚିନି )
ଶ୍ରେଷ୍ଠ ସମ୍ପାଦନା – ସୁକୁମାର ମଣି (ଲଭ ୟୁ ଜେସିକା )
ଶ୍ରେଷ୍ଠ ଗୀତିକାର – ସୁବ୍ରତ ସ୍ଵାଇଁ (ଧୀରେ ଧୀରେ – ଅଗସ୍ତ୍ୟା )
ଶ୍ରେଷ୍ଠ ଚିତ୍ରନାଟ୍ୟ – ଦିଲ୍ଲୀପ କୁମାର ଚୌଧୁରୀ (ନାମର୍ଦ୍ଦ )
ଶ୍ରେଷ୍ଠ ପାର୍ଶ୍ଵ ଅଭିନେତା – ମୀନକେତନ (ମୀମାଂସା)
ଶ୍ରେଷ୍ଠ ପାର୍ଶ୍ଵ ଅଭିନେତ୍ରୀ – ମହାଶ୍ଵେତା (ଦେଲେ ଧାରା କଥା ସରେ )
ଶ୍ରେଷ୍ଠ ହାସ୍ୟ କଳାକାର – ଚିତ୍ତରଞ୍ଜନ ତ୍ରିପାଠୀ (ଲଭ ୟୁ ଜେସିକା)
ଶ୍ରେଷ୍ଠ ଶିଶୁ ଅଭିନେତା – ତିଥିରୁପା ବହିଦାର (ଚିନି )
ଶ୍ରେଷ୍ଠ କଳା ନିର୍ଦ୍ଦେଶକ – ଦେବେନ ଅମାତ (ଚିନି )
ଚଳିତ ବର୍ଷ ୨୭ଟି ବିଭାଗରୁ ୨୪ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି । ବାକି ଶ୍ରେଷ୍ଠ ଶିକ୍ଷାଭିତିକ ଶିଶୁ ଚଳଚ୍ଚିତ୍ର , ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର (ପ୍ରଯୋଜକ )ଏବଂ ନିର୍ଦ୍ଦେଶକ ମନୋନୀତ ହୋଇ ନାହିଁ । ଓଡିଶାରେ ଆଦିବାସୀ ଭାଷାରେ ପ୍ରସ୍ତୁତ ଶ୍ରେଷ୍ଠ ଚଳଚ୍ଚିତ୍ର ବିଭାଗରେ କୌଣସି ସିନେମା ପ୍ରତିଯୋଗୀତାକୁ ଆସିନଥିବାରୁ କାହାକୁ ପୁରସ୍କାର ଦିଆଯାଇ ନାହିଁ ।
ଉତ୍ସବରେ ଜୁରୀ କମିଟି ଅଧ୍ୟକ୍ଷ ବିପିନ ବିହାରୀ ମିଶ୍ର , ସଦସ୍ୟ ଦୋଳଗୋବିନ୍ଦ ରଥ , ସୂର୍ଯ୍ୟ ଦେଓ , ସୁବାସ ଦାସ ,ଶୈଳେଶ୍ଵର ନନ୍ଦ , ଶୀର୍ଷାନନ୍ଦ ଦାସ କାନୁନଗୋ , ଗୀତା ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟକ ,ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ,ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର , ବିଧାୟକ ବିଜୟ କୁମାର ମହାନ୍ତି , ପ୍ରିୟଦର୍ଶୀ ମିଶ୍ର , ମେୟର ଅନନ୍ତ ନାରାୟଣ ଜେନା , ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।