ଜାତୀୟ ସ୍ତରରେ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଆୱାର୍ଡ ହାତେଇଲା "ପ୍ରତୀକ୍ଷା"। ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’କୁ ମିଳିଛି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର । ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଦ୍ବାରା ନିର୍ମିତ ଓ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମଧ୍ୟବିତ୍ତ ପରିବାରରେ ବାପପୁଅଙ୍କ ସଂପର୍କ ଓ ଚାକିରି ପାଇଁ କେମିତି ପୁଅ ସମସ୍ୟା ଭୋଗ କରେ ସେହି କାହାଣୀକୁ ଦର୍ଶାଯାଇଛି। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ କ୍ଷୁଦ୍ର ଗଳ୍ପ ‘ବାପା’ ଉପରେ ଏହି ଚଳଚ୍ଚିତ୍ର ଆଧାରିତ।
ସୂଚନାନୁସାରେ, ନ୍ୟାସନାଲ୍ ମିଡିଆ ସେଣ୍ଟର୍ରେ ଗତକାଲି (ଗୁରୁବାର) ପୁରସ୍କାର ବିଜେତାମାନଙ୍କ ନାମ ଘୋଷିତ ହୋଇଛି। ‘ଗଙ୍ଗୁବାଇ କାଠିଆୱାଡି’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ଆଲିଆ ଭଟ୍ଟଙ୍କୁ ଓ ‘ମିମି’ ଚଳଚ୍ଚିତ୍ର ପାଇଁ କୃତୀ ସାନନ୍ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ କରାଯାଇଛି। ‘ପୁଷ୍ପା’ ଚଳଚ୍ଚିତ୍ର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ‘ଶ୍ରେଷ୍ଠ ଅଭିନେତା ପୁରସ୍କାର’ ପ୍ରଦାନ କରାଯିବ। ‘ରକେଟ୍ରି: ଦ ନାମ୍ବି ଇଫେକ୍ଟ’କୁ ‘ଶ୍ରେଷ୍ଠ ଫିଚର ଫିଲ୍ମ’ ଓ ‘ଆର୍ଆର୍ଆର୍’କୁ ‘ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର’ ମିଳିବ। ଅନ୍ୟପଟେ ‘ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର’ ଭାବେ ‘ପ୍ରତୀକ୍ଷା’ର ନାମ ଘୋଷଣା ଓଡ଼ିଶା ପାଇଁ ଗୌରବ ନେଇ ଆସିଛି।