ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଗିରଫ ପୂର୍ବରୁ ଆପ ସାଂସଦଙ୍କ ସହ ଘନିଷ୍ଟ ଅନ୍ୟମାନଙ୍କ ବାସଭବନରେ ମଧ୍ୟ ଚଢାଉ କରିଥିଲା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଦାଖଲ କରିଥିବା ଚାର୍ଜସିଟରେ ସଞ୍ଜୟ ସିଂହଙ୍କ ନାଁ ରହିଛି । ଗିରଫକୁ ବିରୋଧ କରି ସାଂସଦଙ୍କ ବାସଭବନ ଆଗରେ ବିକ୍ଷୋଭ କରିଥିଲେ ଆମ ଆଦମୀ ପାର୍ଟିର କର୍ମକର୍ତା । ୧୦ ଘଣ୍ଟା ଜେରା କରିବା ପରେ ସଂଜୟ ସିଂହଙ୍କୁ ଇଡି ଗିରଫ କରିଛି । ଏହାପରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ସ୍ଥିତ ସାଂସଦଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ । ଏହାପରେ ଗଣମାଧ୍ୟମ ଆଗରେ କହିଥିଲେ, ବିଜେପି ୨୦୨୪ ନିର୍ବାଚନ ହାରୁଥିବା ଜାଣିବା ପରେ ହତାଶ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହାର ପ୍ରତିବାଦରେ ଆଜି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆମ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ କରାଯିବ ବୋଲି ସୂଚନା ରହିଛି ।