ଉତ୍ତରପ୍ରଦେଶର ରାୟବରେଲି ଜିଲ୍ଲା ଉଞ୍ଚାହରସ୍ଥିତ ନ୍ୟାସନାଲ ଥର୍ମାଳ ପାୱାର କର୍ପୋରେସନ (ଏନଟିପିସି)ର ବ୍ରଏଲର ବିସ୍ଫୋରଣରେ ବଢୁଛି ମୃତ୍ୟୁସଂଖ୍ୟା । ବଏଲର ଫାଟିବା ଘଟଣାରେ ଏବେ ପର୍ଯ୍ୟନ୍ତ ୨୬ ଜଣଙ୍କର ମୃତ୍ୟୁ ହେଇଛି । ତେବେ ଗତକାଲି ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଜି ଚିକିତ୍ସାଧିନ ଅବସ୍ଥା ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ଏନଟିପିସି ତରଫରୁ ଘଟଣାର ଯାଞ୍ଚ ପାଇଁ ଆଦେଶ ଦିଆଯାଇଥିବା ବେଳେ ଏନଡିଆରଏଫର ଟିମ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ରାଏବରେଲି ଓ ଲକ୍ଷ୍ନୌର ଡାକ୍ତରଖାନାରେ ଭର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏନଟିପିସିରେ ପ୍ରାୟ ୧୫୦୦ କର୍ମଚାରୀ କାର୍ଯ୍ୟରତ ।
ଗତକାଲି ଅପରାହ୍ନ ପ୍ରାୟ ୪ଟାରେ ବ୍ରଏଲରରେ ବିସ୍ଫୋରଣ ହେବା ସହ ନିଆଁ ଲାଗିଯାଇଥିଲା । ଏହି ସମୟରେ ପାଖାପାଖି ୨୦୦ରୁ ଅଧିକ ଲୋକ କାମ କରୁଥିଲେ । ତେବେ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ସଂପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ୟୁପି ସ୍ୱାସ୍ଥ୍ୟମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ସମସ୍ତ ପ୍ରକାର ସହାୟତା କରିବାକୁ ପରାମର୍ଶ ଦେଇଛନ୍ତି ।
ଉକ୍ତ ଘଟଣା ଉପରେ ପ୍ରଶାସନ ଓ କତ୍ତୃପକ୍ଷ ନଜର ରଖିଥିବା ଜଣାଯାଇଛି । ରାୟବରେଲି ସହରରେ ଅସ୍ଥାୟୀ କଣ୍ଟ୍ରୋଲ ରୁମ ସ୍ଥାପନା କରାଯାଇଛି । ଏଥି ପାଇଁ ହେଲ୍ପଲାଇନ ନମ୍ବର ୦୫୩୫-୨୭୦୩୩୦୧, ୦୫୩୫-୨୭୦୩୪୦୧, ୦୫୩୫-୨୭୦୩୨୦୧ ଜାରି କରାଯାଇଛି ।
ପଢନ୍ତୁ, ଦ୍ରୁତ ବୋଲର ଆଶିଷ ନେହରା ଙ୍କ ଆନ୍ତର୍ଜାତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ