ଖାଦ୍ୟର ଅପମିଶ୍ରଣ ଦିନକୁ ଦିନ ବଧିଚାଲିଛି । ଏହିଭଳି ଖାଦ୍ୟକୁ ଅପମିଶ୍ରଣ କରୁଥିବା ଏକ ରାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ତେବେ ଏହିପରି ନକଲି ଘିଅ ଭୁବନେଶ୍ୱର ବଜାରରେ କାରବାର ହେଉଥିବା ସୂଚନା ପାଇ କମିସନରେଟ୍ ପୁଲିସ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବଙ୍ଗାଳି ସାହିରେ ଗତକାଲି ରାତିରେ ଚଢ଼ାଉ କରି ଏକ ନକଲି ଘିଅ ତିଆରି କାରଖାନା ଠାବ କରିଛି। ଏହି କାର୍ଯ୍ୟରେ ସମ୍ପୃକ୍ତ ୬ ଜଣଙ୍କୁ ଘଟଣାସ୍ଥଳରୁ ପୁଲିସ ଗିରଫ କରିଛି।
ସୂଚନା ପାଇ ପୋଲିସ ଟିମ ଘଟଣା ସ୍ଥଳକୁ ଯାଇ ବୋରାକ ପାଉଡ଼ର ସହ ରିଫାଇନ ତେଲକୁ ମିଶାଇ ପ୍ରସ୍ତୁତ କରାଯାଇଥିବା ଦୁଇ କ୍ୟୁଣ୍ଟାଲ ନକଲି ଘିଅକୁ ଜବତ କରିଥିବା ଜଣାଯାଇଛି । ଏହି କାରଖାନାରୁ ତିଆରି ହେଉଥିବା ଘିଅ ଖ୍ୟାତ ସଂପନ୍ନ କମ୍ପାନୀଙ୍କ ବ୍ରାଣ୍ଡରେ ବଜାର ପ୍ରବେଶ କରୁଥିଲା ବୋଲି ପୋଲିସ କହିଛି । ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ଅଂଚଳରେ ଏହି ଘିଅ ବିକ୍ରୀ ହୋଇଥିବା କୁହାଯାଉଛି ।
୨କ୍ୟୁଣ୍ଟାଲ ନକଲି ଘିଅ ସମେତ ଗ୍ୟାସ ସିଲିଣ୍ଡର ଷ୍ଟୋଭ, ପାଉଡ଼ର, ନଗଦ ୬୫୦୦ଟଙ୍କା ଜବତ ହୋଇଛି । କମଳାକାନ୍ତ ମଣ୍ଡଳ, ବୁଦ୍ଧଦେବ ଗିରି, ଶକ୍ତିପଦ ଦାସ, ଶଙ୍କର ପ୍ରସାଦ ଗିରି, ସୁବ୍ରତ ଦାସ ଓ ମନୋରଞ୍ଜନ ପଟ୍ଟନାୟକଙ୍କୁ ଗିରଫ କରିଛି । ଲକ୍ଷ୍ମୀସାଗର ଥାନରେ ୪୨୦,୨୭୩ ଓ ୨୪ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି ।
ତେବେ ପୁଲିସ ବର୍ତ୍ତମାନ ଅଭିଯୁକ୍ତମାନଙ୍କୁ ପଚରାଉଚରା କରୁଛି। ଫଳରେ ଏହି ନକଲି କାରବାରରେ ସମ୍ପୃକ୍ତ ର୍ୟାକେଟ୍ ସମ୍ପର୍କରେ ଅଧିକ ସୂଚନା ମିଳି ପାରିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ପଢନ୍ତୁ, ଇରାକ-ଇରାନରେ ଭୟଙ୍କର ଭୂମିକମ୍ପ, ୧୩୦ଜଣ ମୃତ୍ୟୁ ହେଇଛି ଓ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା