ଏହି ନିକଟରେ ଜଣେ ଯାତ୍ରୀଙ୍କୁ ବିମାନ କର୍ମଚାରୀଙ୍କ ଅସଦାଚରଣ କରିବା କଥା ମନରୁ ନଲିଭୁଣୂ ଏବେ ପୁଣି ଏୟାର ଇଣ୍ଡିଆର ପାଇଲଟଙ୍କ କାମରେ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜନୈକ ପାଇଲଟ୍ ଗୁରୁବାର ବିଳମ୍ବିତ ରାତ୍ରରେ ୪୮ ଜଣ ଯାତ୍ରୀଙ୍କ ସହ ସେ ଉଡ଼ାଣ ଭରୁଥିବା ବିମାନଟିକୁ ରନ୍ୱେ ଉପରେ ଛାଡ଼ି ଦେଇ ପଳାଇ ଯିବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, ଏୟାର ଇଣ୍ଡିଆର ୯୧୬୪୪ ନମ୍ବର ବିଶିଷ୍ଟ ବିମାନଟି ଗୁରୁବାର ରାତି ୮ଟା ବେଳେ ଲକ୍ଷ୍ନୌ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଭାୟା ଜୟପୁର ଦେଇ ଉଡ଼ାଣ କରି ରାତି ୯ଟା ବେଳେ ଜୟପୁର ବିମାନ ବନ୍ଦରରେ ଅବତରଣ କରିଥାଆନ୍ତା । କିନ୍ତୁ, ଲକ୍ଷ୍ନୌରୁ ଉଡ଼ାଣ କରିବାରେ ବିଳମ୍ବ ଘଟିବା କାରଣରୁ ବିମାନଟି ନିର୍ଦ୍ଧାରିତ ସମୟ ୯ଟା ପରିବର୍ତ୍ତେ ବିଳମ୍ବିତ ରାତ୍ର ପ୍ରାୟ ରାତ୍ର ପ୍ରାୟ ୧ଟା ୩୦ମିନିଟ ସମୟରେ ଜୟପୁର ବିମାନ ବନ୍ଦରରେ ଅବତରଣ କରିଥିଲା।
ଅନ୍ୟପକ୍ଷରେ କୁହୁଡ଼ି ଓ ଅନ୍ୟାନ୍ୟ ବୈଷୟିକ କାରଣ ଯୋଗୁଁ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଜୟପୁରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିବା ପାଇଁ ସଂପୃକ୍ତ ବିମାନର ପାଇଲଟ୍ଙ୍କୁ ଅନୁମତି ମିଳି ନ ଥିଲା । ଦୀର୍ଘ ପ୍ରତୀକ୍ଷା ପରେ ଅନୁମତି ପାଇ ପାଇଲଟ୍ ଜଣକ ଯେତେବେଳେ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିବା ପାଇଁ ରନ୍ୱେରେ ବିମାନଟିକୁ ନେଉଥିଲେ, ସେତେବେଳେ ଜୟପୁର ବିମାନ ବନ୍ଦରର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ବିମାନଟିକୁ ରନ୍ୱେ ମଝିରେ ୩୦ ମିନିଟ୍ ପର୍ଯ୍ୟନ୍ତ ଅଟକାଇ ଦେଇଥିଲେ। ଏଥିରେ ବିରକ୍ତି ପ୍ରକାଶ କରି, ସଂପୃକ୍ତ ବିମାନର ପାଇଲଟ୍ ଜଣକ, ତାଙ୍କର ଡ୍ୟୁଟି ସମୟ ସରିଗଲା ଏବଂ ସେ ଆଉ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିପାରବେ ନାହିଁ ବୋଲି ଘୋଷଣା କରିବା ସହ ବିମାନଟିକୁ ଜୟପୁର ବିମାନ ବନ୍ଦର ରନ୍ୱେ ମଝିରେ ସେଇ ଅବସ୍ଥାରେ ଛାଡ଼ିଦେଇ କକ୍ପିଟ୍ ମଧ୍ୟରୁ ବାହାରି ପଳାଇ ଯାଇଥିଲେ।
ପାଇଲଟ୍ଙ୍କର ଏ ପ୍ରକାର ଆଚରଣ ପରେ ବିମାନରେ ଥିବା ୪୮ ଜଣ ଯାତ୍ରୀ କ’ଣ କରିବେ କିଛି ବୁଝି ନପାରି ବିମାନ ଭିତରେ ବସି ରହିଥିଲେ। ଘଟଣା ସଂପର୍କରେ ଜାଣିବା ପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କିଛି ଯାତ୍ରୀଙ୍କୁ ବସ୍ ଯୋଗେ ଦିଲ୍ଲୀ ପଠାଇଥିବା ବେଳେ ଅନ୍ୟମାନଙ୍କୁ ହୋଟେଲରେ ନେଇ ରଖିଥିଲେ। ହୋଟେଲରେ ଥିବା ଯାତ୍ରୀମାନଙ୍କୁ ଆଜି ସକାଳୁ ଅନ୍ୟ ବିମାନ ଯୋଗେ ଦିଲ୍ଲୀ ଆଣା ଯାଇଥିବା ଜଣାପଡ଼ିଛି।
ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏପରି ଏକ ଅଭାବନୀୟ ଘଟଣା ଘଟିଛି ବୋଲି ସ୍ୱୀକାର କରିଥିବା ବେଳେ ଏହାକୁ ଏକ ଆଭ୍ୟନ୍ତରୀଣ ବ୍ୟାପାର କହି ଏ ସଂପର୍କରେ କୌଣସି ପ୍ରକାର ମତାମତ ଦେବାକୁ ମନା କରି ଦେଇଛନ୍ତି।
ପଢନ୍ତୁ, ଶ୍ରେଷ୍ଠ ଡିଜିଟାଲ୍ ପରିବେଶ ସଂପନ୍ନ ସହର ତାଲିକାରେ ବିଶ୍ୱର ସ୍ତରରେ ବେଙ୍ଗାଲୁରୁ ପ୍ରଥମ