ମହାନଦୀ ଟ୍ରାଇବୁନାଲ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆଗତ କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ମହାନଦୀ ଜଳ ବିବାଦ ସମାଧାନ ସକାଶ ଟ୍ରାଇବୁନାଲ୍ ଗଠନକୁ ଅନୁମୋଦନ କରାଯାଇଛି । ଛତିଶଗଡ଼ରେ ମହାନଦୀର ଉପର ମୁଣ୍ଡରେ ସେଠାକାର ରାଜ୍ୟ ସରକାର ଏକାଧିକ ଜଳଭଣ୍ଡାର ନିର୍ମାଣ ଆରମ୍ଭ କରିଥିବାରୁ ଓଡ଼ିଶା ପ୍ରତି ଜଳ ସଙ୍କଟ ଉପୁଜିବାର ସମ୍ଭାବନା ଦେଖା ଦେଇଛି। ଏହାର ଆପୋସ ସମାଧାନ ପାଇଁ ଛତିଶଗଡ଼ ଏବଂ କେନ୍ଦ୍ର ସରକାର କହି ଆସୁଥିଲେ। ନିର୍ମାଣକୁ ବିରୋଧ କରିବା ସହ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଉପୁଜି ଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରାଇବୁନାଲ୍ ଗଠନ କରାଯିବାକୁ ଓଡ଼ିଶା ସରକାର ଦାବି କରିଥିଲେ।
ମହାନଦୀ ଜଳ ବିବାଦ ଆଇନ-୧୯୫୬ ଆଧାରରେ ଏହି ଟ୍ରିବ୍ୟୁନାଲ ଗଠନ ହେବ । ବିବାଦ ନେଇ ୩ ବର୍ଷ ଭିତରେ ରିପୋର୍ଟ ଦେବ ଟ୍ରିବ୍ୟୁନାଲ । ଆବଶ୍ୟକ ପଡିଲେ ଆଉ ୨ ବର୍ଷ ବଢିପାରେ ଟ୍ରିବ୍ୟୁନାଲର କାର୍ଯ୍ୟର୍କାଳ । ଟ୍ରିବ୍ୟୁନାଲରେ ଜଣେ ଅଧ୍ୟକ୍ଷ ଓ ଦୁଇଜଣ ସଦସ୍ୟ ରହିବେ ।ଏମାନଙ୍କୁ ସୁପ୍ରିମକୋର୍ଟ ବାଛିବେ । ମହାନଦୀ ଜଳ ବିବାଦ ନେଇ ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ବି ଏ ନେଇ କେନ୍ଦ୍ରକୁ ଚିଠି ଲେଖିଥିଲେ ।
ଜାନୁୟାରୀ ୨୩ ତାରିଖରେ ସୁପ୍ରିମକୋର୍ଟ ମାସେ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଟ୍ରିବ୍ୟୁନାଲ ଗଠନକୁ ବିଜେଡି ସ୍ୱାଗତ କରିଛି । ବିଳମ୍ବରେ ହେଲେ ବି ଟ୍ରିବ୍ୟୁନାଲ ଗଠନ ହେଲା । ନ୍ୟାୟିକ ହସ୍ତକ୍ଷେପ ଯୋଗୁଁ ଟ୍ରିବ୍ୟୁନାଲ ଗଠନ ସମ୍ଭବ ହେଲା । ମହାନଦୀ ଉପରମୁଣ୍ଡରେ କାମ ବନ୍ଦ କରିବାକୁ ଓଡିଶାର ଦାବି ରହିଛି ବୋଲି ବିଜେଡି କହିଛି ।
ପଢନ୍ତୁ;