ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିକୁ ନେଇ ସାଧାରଣ ଜନତାଙ୍କ ଆକ୍ରୋଶ ବଢିବାରେ ଲାଗିଛି। ଏହାକୁ ବିରୋଧ କରି ଗତକାଲି ଭାରତ ବନ୍ଦ ପାଳନ କରାଯାଇଥିବା ବେଳେ ପୁଣିଥରେ ମଙ୍ଗଳବାର ଏହାର ଦାମ୍ ବୃଦ୍ଧି ପାଇଛି। ସୋମବାର ଦିଲ୍ଲୀରେ ପେଟ୍ରୋଲ ଲିଟର୍ ପିଛା ୨୩ ପଇସା ବଢ଼ିଥିବା ବେଳେ ଡିଜେଲ୍ ଲିଟର୍ ପିଛା ୨୨ ପଇସା ବଢ଼ିଛି। ଏହି ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ୮୦.୭୩ ଟଙ୍କା ହୋଇଥିବା ବେଳେ ଡିଜେଲ୍ର ଦର ଲିଟର୍ ପିଛା ୭୨.୮୩ ଟଙ୍କାରେ ପହଞ୍ଚିଛି। ତେବେ ଏଭଳି ବର୍ଦ୍ଧିତ ଦର ଯୋଗୁ ମୁମ୍ବାଇବାସୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଠାରେ ପେଟ୍ରୋଲ ଲିଟର୍ ପିଛା ଦର ୮୮.୧୨ ଟଙ୍କା ହୋଇଥିବା ବେଳେ ଡିଜେଲ୍ର ଲିଟର୍ ପିଛା ଦର ୭୭.୩୨ ଟଙ୍କା ରହିଛି।
କେବଳ ବଡ ବଡ ସହର ନୁହେଁ ଏଥିରୁ ବାଦ୍ ପଡି ନାହାଁନ୍ତି ଛୋଟ ସହର ସବୁ। ଛୋଟ ସହରରେ ମଧ୍ୟ ପେଟ୍ରୋଲର ଦାମ୍ ଆକାଶ ଛୁଆଁ। ଏହା ଏବେ ଲୋକଙ୍କ ପକେଟ୍ରେ ନିଆଁ ଲଗାଇ ଦେଇଛି। ମହାରାଷ୍ଟ୍ରର ପରଭାନୀ ସହରରେ ସୋମବାର ସୁଦ୍ଧା ପେଟ୍ରୋଲ ଲିଟର ପିଛା ଦାମ୍ ୯୦ଟଙ୍କା ପାରି କରି ଯାଇଛି। ଏଠି ଏବେ ପେଟ୍ରୋଲ ଲିଟର ପିଛା ୯୦.୦୫ ଟଙ୍କା ଥିବା ବେଳେ ଡିଜେଲ ଦାମ ରହିଛି ୭୭.୯୨ଟଙ୍କା।