ଗୁର୍‌ମିତ ରାମ ରହିମ ସିଂହଙ୍କୁ ୨୦ ବର୍ଷ ଜେଲଦଣ୍ଡାଦେଶ ଓ ୩୦ ଲକ୍ଷ ଟଙ୍କାର ଜରିମାନା

ବହୁଚର୍ଚ୍ଚିତ ଡେରା ସଚ୍ଚା ସୌଦାର ମୁଖ୍ୟ ବାବା ଗୁରମିତ୍‌ ରାମ ରହିମ ସିଂହଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ୩୦ ଲକ୍ଷ ଟଙ୍କାର ଜରିମାନା ହେଇଛି । ଦୁଇଜଣ ସାଧ୍ୱୀଙ୍କୁ ବଳାତ୍କାର ମାମଲାରେ ବାବାଙ୍କୁ ଦଣ୍ଡାଦେଶ କରିଛନ୍ତି ସ୍ୱତନ୍ତ୍ର ସିବିଆଇ ଜଜ୍ । ଦୁଇଟି ଦୁଷ୍କର୍ମ ମାମଲାରେ ୧୦ – ୧୦ ବର୍ଷ ଲେଖାଏଁ ଜେଲ୍ ଯିବେ ରାମ ରହିମ୍ । ଏହା ସହ ଦୁଇଟି ଯାକ ମାମଲା ପାଇଁ ୧୫ – ୧୫ଲକ୍ଷ ଲେଖାଏଁ ଟଙ୍କା ଦେବେ ଜରିମାନା ।

ନିଜକୁ ଭଗବାନ ବୋଲାଉଥିବା ଏହି ବାବାର ଜୀବନକୁ ଏବେ ୨୦ ବର୍ଷ ପାଇଁ କଳା ବାଦଲ ଢାଙ୍କିଦେବ । ଜେଲ କୋଠରୀର ଚାରିକାନ୍ଥ ଭିତରେ କେବଳ ଜୀବନ ଅତିବାହିତ କରିବେ ଏହି ଦୁଷ୍କର୍ମକାରୀ ବାବା ।  ୨୦୦୨ରେ ସଂଘଟିତ ଏହି ମାମଲା (୧୫ବର୍ଷ ତଳ)ର ରାୟରେ କୋର୍ଟ ଏଭଳି ପାପୀଙ୍କ ବିରୋଧରେ ଦୃଢ ପଦକ୍ଷେପ ନେଇଛି ।

୨୦୦୨ରେ ବାବାଙ୍କ ବିରୋଧରେ ୨ ଜଣ ଯୁବତୀ ବଳାତ୍କାର ଅଭିଯୋଗ ଆଣିଥିଲେ। ପଞ୍ଚକୁଲାର ଆଶ୍ରମ ଭିତରେ ବାବା ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ହରିୟାଣାର ପଞ୍ଚକୁଲାର ସିବିଆଇ କୋର୍ଟରେ ଏହି ମାମଲା ବିଚରାଧୀନ ଥିବା ବେଳେ ୧୫ ବର୍ଷ ପରେ ଅର୍ଥାତ ଗତ ୨୫ ତାରିଖରେ ତାଙ୍କୁ କୋର୍ଟ ଦୋଷୀ ସାବ୍ୟବସ୍ତ କରିଥିଲେ। ବିଳମ୍ବରେ ହେଲେ ମଧ୍ୟ ଏହି ବାବାଙ୍କ ଦ୍ଵାରା ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ମିଳିଛି । ବଳାତ୍କାର ମାମଲାରେ ସଜା ପାଇ ବାବା ହୋଇଛନ୍ତି କଏଦୀ ନମ୍ବର-୧୯୯୭ ।

ଆଇପିସିର ଧାରା ୫୧୧, ୫୦୧ ଓ ୩୭୬ରେ ବାବା ରାମମହିମଙ୍କ ବିରୋଧରେ ଦଣ୍ଡାଦେଶ କଲେ ସିବିଆଇ ଜଜ୍ । କୌଣସି ଉଚ୍ଚ ପଦବୀରେ ରହି ଅସାମାଜିକ କାର୍ଯ୍ୟ କରିବା ଓ ବଳାତ୍କାର ଭଳି ସଂଗୀନ ମାମଲାରେ ସର୍ବାଧିକ ୨୦ ବର୍ଷର ଜେଲ ସଜା ଶୁଣାଇଛନ୍ତି ବିଚାରପତି ।

ଉଲ୍ଲେଖଯୋଗ୍ୟ, ଏହି ଦୁଷ୍କର୍ମ ମାମଲାରେ ଗତ ଶୁକ୍ରବାର ହରିଆଣାର ପଞ୍ଚକୁଲା ସ୍ଥିତ ସ୍ୱତନ୍ତ୍ର ସିବିଆଇ ଅଦାଲତରେ ରାମ ରହିମ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ଖବର ପ୍ରଚାର ମାତ୍ରେ ତାଙ୍କର ଅନୁଗାମୀ ଓ ସମର୍ଥକମାନେ ବ୍ୟାପକ ପୋଡ଼ାଜଳା ଓ ହିଂସାକାଣ୍ଡ ରଚାଇଥିଲେ। ଫଳରେ ୩୮ ଜଣ ପ୍ରାଣ ହରାଇଥିଲେ ଏବଂ ୨୦୦ରୁ ଅଧିକ ଆହତ ହୋଇଥିଲେ।  ଏଭଳି ଅଘଟଣର ପୁନରାବୃତ୍ତି ନହେବା ଲାଗି  ରାମ ରହିମ୍‌ଙ୍କ ଦଣ୍ଡାଦେଶ ଶୁଣାଣିକୁ ସେ ସମ୍ପ୍ରତି ରହୁଥିବା ରୋହତକ ନିକଟ ସୁନାରିଆ ଜିଲ୍ଲା କାରାଗାର ପରିସରରେ ଏକ ଅସ୍ଥାୟୀ ଅଦାଲତରେ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ସ୍ୱତନ୍ତ୍ର ସିବିଆଇ ଜଜ୍‌ ଜଗଦୀପ ସିଂହ ଆଜି ମଧ୍ୟାହ୍ନରେ ସରକାରୀ ହେଲିକପ୍ଟର ଯୋଗେ ସୁନାରିଆ ଜେଲ୍‌ ପରିସରକୁ ଆସିଥିଲେ। ଦଣ୍ଡାଦେଶ ଶୁଣାଣି ଅବସରରେ କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ଲାଗି ସକାଳେ ରୋହତକ କଲେକ୍ଟର ଅତୁଲ କୁମାର ଆନ୍ଦୋଳନକାରୀଙ୍କୁ ଦେଖିଲା ମାତ୍ରେ ଗୁଳି ନିର୍ଦ୍ଦେଶ ଜାରି କରିଥିଲେ। ସୁନାରିଆ ଜେଲ୍‌ ଚାରିପାଖେ ୧୦ କିମି ଦୂର ଯାଏଁ ହରିଆଣା ପୁଲିସ ଓ ଅର୍ଦ୍ଧ ସାମରିକ ବଳର ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହେବା ସହ ସେନାବାହିନୀକୁ ମଧ୍ୟ ସଜାଗ ରଖାଯାଇଥିଲା।

ଆତ୍ମଘୋଷିତ ଧର୍ମଗୁରୁ ବାବା ରାମରହିମ ସିଂ ଲୋକଙ୍କୁ ପ୍ରଭାବିତ କରି ତିଆରି କରୁଥିଲେ ନିଜର ଅନୁଗାମୀ । ସାରା ଦେଶରେ ଡେରା ସଚ୍ଚା ସୌଦାର ପ୍ରାୟ ୬କୋଟି ଅନୁଗାମୀ ସୃଷ୍ଟି କରିଥିବା ରାମରହିମ ଏବେ ଜେଲରେ ଚାରିକାନ୍ଥ ଭିତରେ ବନ୍ଦିଥିବା ଏକ ଅପରାଧୀ ।

ଆଗାମୀ ସିନେମା ଶିବା ନଟ ଆଉଟ ର ଦେଖନ୍ତୁ ଶୁଟିଂ ସମୟର ମସ୍ତି ଭିଡିଓ  ।

Related posts

ତାମିଲନାଡ଼ୁରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଗାଜା’ ର ତାଣ୍ଡବ, ୨୦ ମୃତ

ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଦ.ଆଫ୍ରିକା ରାଷ୍ଟ୍ରପତି

ବିଳମ୍ବରେ ଦୀପାବଳି ପାଳିଲେ ଟ୍ରମ୍ଫ