ଗୁରୁବାର ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ୬ ମ୍ୟାଚ୍ର ଦିନିକିଆ ସିରିଜ୍ ଆରମ୍ଭ ହେଉଥିବା ବେଳେ ଟେଷ୍ଟ ସିରିଜ୍ ପରି ଦିନିକିଆ ସିରିଜ୍ରେ ମଧ୍ୟ ରୋଚକ ମୁକାବିଲା ହେବ ବୋଲି ଆଶା କରାଯାଉଛି । ଟେଷ୍ଟ ସିରିଜ୍ ପରି ଦକ୍ଷିଣ ଆଫ୍ରିକା ମାଟିରେ ମଧ୍ୟ ଭାରତ ଆଦୌ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ଜିତିନାହିଁ । ତେବେ ଏହା ସତ ଯେ ଏହି ସିରିଜ୍ରେ ମୁକାବିଲା ଜୋରଦାର ହେବ । ଅନ୍ୟପକ୍ଷରେ ଦିନିକିଆ ମାନ୍ୟତାରେ ଦକ୍ଷିଣ ଆଫ୍ରିକା ୧ନଂ ଥିବା ବେଳେ ଭାରତ ୨ୟ ସ୍ଥାନରେ ଅଛି।
ଅଦ୍ୟାବଧି ଦକ୍ଷିଣ ଆଫ୍ରିକାରେ ଭାରତ ୨୮ଟି ଦିନିକିଆ ଖେଳି ମାତ୍ର ୫ଟି ଜିତିପାରିଛି ଏବଂ ଡର୍ବାନ୍ରେ ଭାରତ କୌଣସି ମ୍ୟାଚ୍ ଜିତିନାହିଁ । ଏଥର ବାଜି ବଦଳାଇବା ଲକ୍ଷ୍ୟରେ କୋହଲିଙ୍କ ଦଳ ରହିଛି । ନିଜେ ବିରାଟ କୋହଲି ଭଲ ଫର୍ମରେ ରହିଛନ୍ତି । ଭାରତକୁ ଏହି ସିରିଜ୍ ଜିତିବାକୁ ହେଲେ କୋହଲି ଏବଂ ଦୁଇ ଓପ୍ନର ରୋହିତ ଓ ଧାୱନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ଭାରତ ଯଦି ୨୫୦ରୁ ଅଧିକ ରନ୍ ସ୍କୋର୍ କରିଦିଏ; ତେବେ ଏହାକୁ ରୋକିବାର ଦମ୍ ଭାରତୀୟ ବୋଲରଙ୍କ ପାଖରେ ରହିଛି । ଆଉ ୧୦୨ ରନ୍ କରିପାରିଲେ ଧୋନି ୪ର୍ଥ ଭାରତୀୟ ଭାବେ ଦିନିକିଆରେ ୧୦ ହଜାର ରନ୍ ପୂରଣ କରିବେ ।
ଦିନିକିଆ ସିରିଜ୍ ଆରମ୍ଭହେବା ପୂର୍ବରୁ ଘରୋଇ ଦଳକୁ ଶକ୍ତ ଧକ୍କା ଲାଗିଛି । ବିଶ୍ୱର ସମସ୍ତ ବୋଲରଙ୍କ ପାଇଁ ଦୁଃସ୍ୱପ୍ନ ହୋଇ ରହିଥିବା ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିଅର୍ସ ଆହତ ହୋଇ ପ୍ରଥମ ୩ଟି ଦିନିକିଆରୁ ବାଦ୍ ପଡ଼ିଛନ୍ତି । ଡି’ଭିଲିଅର୍ସଙ୍କ ଅନୁପସ୍ଥିତି ଦକ୍ଷିଣ ଆଫ୍ରିକା ପାଇଁ ମଧ୍ୟକ୍ରମ ସମସ୍ୟା ସୃଷ୍ଟିକରିଛି । କାରଣ ଅନ୍ୟ ଦୁଇ ବ୍ୟାଟ୍ସମ୍ୟାନ୍ ଐଡେନ୍ ମାର୍କରାମ ଓ ଖାୟା ଜୋଣ୍ଡୋ ଆନ୍ତର୍ଜାତିକ କ୍ରିକେଟ୍ରେ ନୂଆ । ଅଧିନାୟକ ଫାଫ୍ ଡୁ ପ୍ଲେସି ୩ନଂ ସ୍ଥାନରେ ଖେଳିପାରନ୍ତି । ୫ ଓ ୬ନଂ ସ୍ଥାନ ଦୁଇ ବାମହାତି ଜେ.ପି. ଡୁ୍ୟମିନି ଓ ଡେଭିଡ୍ ମିଲରଙ୍କର । କ୍ରିସ ମରିସ୍ ଅଲ୍ରାଉଣ୍ଡର ଭାବେ ଖେଳିବାକୁ ଥିବା ବେଳେ ୩ ଫାଷ୍ଟବୋଲରଙ୍କ ସ୍ଥାନନେବେ ମର୍ନେ ମର୍କେଲ, କାଗିସୋ ରାବାଡ଼ା ଓ ଆନ୍ଦିଲେ ଫେଲୁକ୍ୱାୟୋ ।
ରୋହିତ ଶର୍ମା ଓ ଶିଖର ଧାୱନ୍ ଇନିଂସ ଓପନ୍ କରିବେ । ମଧ୍ୟକ୍ରମ ସମ୍ଭାଳିବେ ଅଧିନାୟକ ବିରାଟ କୋହଲି, କେଦାର ଯାଦବ, ଅଜିଙ୍କ୍ୟ ରାହାଣେ କିମ୍ବା ମନୀଷ ପାଣ୍ଡେ । ଅଲ୍ରାଉଣ୍ଡର ଭାବେ ହାର୍ଦିକ ପାଣ୍ଡ୍ୟା ଏବଂ ଏକମାତ୍ର ସ୍ପିନର ଭାବେ ୟୁଜୁବେନ୍ଦ୍ର ଚହଲ ଖେଳିପାରନ୍ତି । ତେବେ ୩ୟ ଟେଷ୍ଟରେ ଚମକ୍ରାର ବ୍ୟାଟିଂ କରିଥିବା ଅଜିଙ୍କ୍ୟ ରାହାଣେଙ୍କୁ ପାଣ୍ଡେଙ୍କ ସ୍ଥାନରେ ଖେଳାଇବା କଥା କୋହଲି ଚିନ୍ତା କରୁଛନ୍ତି । ଟେଷ୍ଟ ସିରିଜ୍ରେ ଦକ୍ଷିଣ ଆଫ୍ରିକାର ନିଦ ହଜାଇ ଦେଇଥିବା ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ ଯଶପ୍ରୀତ୍ ବୁମ୍ରା ହିଁ ଖେଳିବେ ।
ପଢନ୍ତୁ;