ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନ ବନ୍ଦର

ଝାରସୁଗୁଡ଼ାଠାରେ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନୂତନ ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରି ଉଡ଼ାଣ ଯୋଜନାରେ ପ୍ରଥମ ଯାତ୍ରୀବାହୀ ବିମାନ ଉଡ଼ାଣର ଶୁଭାରମ୍ଭ କରିଛନ୍ତି । ଆଧୁନିକ ଓଡ଼ିଶା, ଆଧୁନିକ ଭାରତ ଏବଂ ଆଧୁନିକ ଭିତ୍ତିଭୂମିର ନିଦର୍ଶନ ଭାବେ ଝାରସୁଗୁଡ଼ା ବିମାନବନ୍ଦର ମୁଣ୍ଡ ଟେକିଛି । ଏହି ବିମାନବନ୍ଦରକୁ ଉଦ୍ଘାଟନ କରି ସେ ଗୌରବାନ୍ୱିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଠାକୁ ଆସୁଥିବା ଦେଶ ବିଦେଶର ଯାତ୍ରୀମାନେ ବୀର ସୁରେନ୍ଦ୍ର ସାଏଙ୍କ ନାମ ଶୁଣି ତାଙ୍କ ବୀରତ୍ୱର ଗାଥାକୁ ମନେ ପକାଇବେ । ଝାରସୁଗୁଡ଼ା ବିମାନବନ୍ଦର ଏବେ ଭୁବନେଶ୍ୱର-ରାଂଚି-ରାୟପୁର ସହରକୁ ଯୋଡ଼ି ତ୍ରିବେଣୀ ସଂଗମର ସ୍ଥାନ ପାଲଟିବ । ବହୁଦିନ ପର୍ଯ୍ୟନ୍ତ ଏଭଳି ପ୍ରକଳ୍ପମାନ କାହିଁକି ପଡ଼ି ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଗୁଜରାଟର କଛ ଅଂଚଳ ମରୁଭୂମି ଆଛାଦିତ । ତଥାପି ଏହି ଜିଲ୍ଲାରେ 5ଟି ବିମାନବନ୍ଦର ରହିଛି । କିନ୍ତୁ ଓଡିଶା ଭଳି ରାଜ୍ୟରେ ମାତ୍ର ଦୁଇଟି ବିମାନବନ୍ଦର ପ୍ରତିଷ୍ଠା ହୋଇଛି । ଉଡ଼ାଣ ଯୋଜନାରେ ଆହୁରି ଅନେକ ବିମାନବନ୍ଦର ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି । ସ୍ୱାଧୀନତାଠାରୁ ଏପର୍ଯ୍ୟନ୍ତ ଦେଶରେ ମାତ୍ର 450ଟି ଉଡ଼ାଜାହାଜ ରହିଥିଲା । ଏବେ ଗତ ପ୍ରାୟ ବର୍ଷକ ମଧ୍ୟରେ 950 ଉଡ଼ାଜାହାଜ କ୍ରୟ କରିବା ଲାଗି ବରାଦ ହୋଇଛି । ଏଥିରୁ ଜଣାପଡୁଛି ଯେ ଦେଶରେ ବିମାନ ଚଳାଚଳ ସେବା ଉଡ଼ାଣ ଯୋଜନାରେ ବୃଦ୍ଧି ପାଇବାରେ ଲାଗିଛି । ଏହି ବିମାନବନ୍ଦର ଝାରସୁଗୁଡ଼ା, ସମ୍ବଲପୁର, ଛତିଶଗଡ଼ ଆଦି ଆଖପାଖ ଅଂଚଳରେ ପର୍ଯ୍ୟଟନ, ଶିଳ୍ପ ଓ ବେପାର ବଣିଜକୁ ବଢାଇବ ।

ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଏହି ଯୋଜନାରେ ସାମିଲ ନ ହେବା ଦ୍ୱାରା ରାଜ୍ୟର ଗରିବ ଲୋକମାନେ ଏକ ବଡ଼ ରାଷ୍ଟ୍ରୀୟ ଯୋଜନାରୁ ଉପକାର ପାଇପାରିବେ ନାହିଁ । ଏହା ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ ହେବ । ଓଡ଼ିଶାରେ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ମଧ୍ୟ ଠିକଭାବେ କାର୍ଯ୍ୟକାରୀ କରାଯାଉନାହିଁ । ଧାନ ମଣ୍ଡିରେ ଖରାପ ଧାନ କହି ଚାଷୀଙ୍କୁ ଭଗେଇ ଦିଆଯାଉଛି । ଶୌଚାଳୟ ନିର୍ମାଣରେ ମଧ୍ୟ ଓଡ଼ିଶା ପଛରେ ରହିଛି । କାଗଜ କଲମରେ ବିକାଶ କାର୍ଯ୍ୟ ଚାଲିଛି । ଏପରିକି ବନୀକରଣ, ସଡ଼କ ନିର୍ମାଣ, ଜଳସେଚନ ଆଦି କ୍ଷେତ୍ରରେ ଭ୍ରଷ୍ଟାଚାର ଅଭିଯୋଗ ହେଉଛି । ରାଜ୍ୟରେ କମିଶନି କାରବାର ବୃଦ୍ଧି ପାଇଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ 24ଟି ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର କାର୍ଯ୍ୟ କରୁଛି । 2024 ସୁଦ୍ଧା 3ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ସ୍ୱରୋଜଗାର ଯୋଜନାରେ 25 ହଜାର କୋଟି ଟଙ୍କା ବିନିଯୋଗ ହୋଇଛି ଏବଂ ମୁଦ୍ରା ଯୋଜନାରେ ଓଡ଼ିଶାରେ 1 କୋଟି ଋଣ ପ୍ରଦାନ କରାଯାଇଛି । ଏଣୁ ଓଡ଼ିଶାକୁ ମଧ୍ୟ ପୂର୍ବ ଭାରତର ଦ୍ରୁତ ବିକାଶରେ ଏକ ସକ୍ରିୟ ଭାଗିଦାର ହେବାର ବେଳ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପଢନ୍ତୁ;ଏସିଆ କପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ

Related posts

ଆତ୍ମଘୋଷିତ ବାବା ରାମପାଲଙ୍କୁ ଆଜୀବନ ଜେଲ୍‌

ଫାଇଲିନ ଓ ହୁଡୁହୁଡୁ ଅପେକ୍ଷା ତିତଲି ନେଲା ଅଧିକ ଜୀବନ

ଜୋର ଧରିଲା “ମି ଠୁ” ଅଭିଯାନ,କୋର୍ଟ ଗଲେ କେନ୍ଦ୍ରମନ୍ତ୍ରୀ ଏମ୍‌. ଜେ. ଆକବର