ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଅପରାଧ ମାନିଲେ ପୁଞ୍ଜିଲାଲ

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ୍ ମେହେରଙ୍କୁ କ୍ରାଇମବ୍ରାଞ୍ଜ ଆଜି ଗିରଫ କରିଛି । ଏ ନେଇ ସ୍ପଷ୍ଟ କରିଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ରାୟପୁରରୁ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲଙ୍କ ସଂପୃକ୍ତି ନେଇ ଠୋସ୍ ପ୍ରମାଣ ମିଳିଛି। ଆଜି ଏହି ଘଟଣାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସମସ୍ତ ସୂଚନା ଦିଆଯିବ ବୋଲି ସେ କହିଛନ୍ତି। ଅପରପକ୍ଷରେ ପୁଞ୍ଜିଲାଲ୍ ମଧ୍ୟ ଏହି ଘଟଣାରେ ନିଜ ଦୋଷ ମାନି ନେଇଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ପାର୍ସଲ କୋରିୟରର ବିଲ୍ ମିଳିବା ସହ ପୁଞ୍ଜିଲାଲ୍‌ଙ୍କୁ ସ୍କାଏକିଙ୍ଗର ମ୍ୟାନେଜର ମଧ୍ୟ ଚିହ୍ନଟ କରିଥିବା ଜଣାଯାଇଛି।

ପୁଞ୍ଜିଲାଲ ମେହେର ୟୁଟ୍ୟୁବ୍‌ରୁ ବୋମା ପ୍ରସ୍ତୁତ କୌଶଳ ସମ୍ପର୍କିତ ଭିଡିଓ ଡାଉନ୍‌ଲୋଡ୍‌ କରିଥିଲେ। ତାଙ୍କ ଲ୍ୟାପ୍‌ଟପରେ ଏ ସଂପର୍କିତ ଏକାଧିକ ଭିଡ଼ିଓ ମହଜୁଦ୍‌ ଥିଲା। ସେଥିରୁ କୌଶଳ ଶିଖିବା ପରେ ପ୍ରସ୍ତୁତ କରିଥିଲେ ପାର୍ସଲ ବୋମା। ବୋମାରେ ବିସ୍ଫୋରକ ଭାବେ ପୋଟାସିୟମ୍‌ କ୍ଲୋରାଇଡ୍‌ ଓ ସଲଫର୍‌ ବ୍ୟବହାର କରାଯାଇଥିଲା। ଭଇଁଷା ମହାବିଦ୍ୟାଳୟର ପ୍ରିନ୍‌ସିପାଲ୍‌ ସଂଯୁକ୍ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ବିସ୍ଫୋରଣ କରି ଉଡ଼ାଇବାକୁ ମାଷ୍ଟର୍‌ପ୍ଲାନ୍‌ ପ୍ରସ୍ତୁତ କରିଥିଲେ। କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ମେହେରପଡ଼ାସ୍ଥିତ ଘରେ ଚଢ଼ଉ କରି ପୁଞ୍ଜିଲାଲଙ୍କ ଲ୍ୟାପ୍‌ଟପ ଜବତ କରିବା ପରେ ଏଭଳି ତଥ୍ୟ ମିଳିଛି। ଗତ ଦୁଇ ଦିନ ଧରି ତାଙ୍କୁ ଜେରା ପରେ ଆଜି ଗିରଫ କରିଛି। ଏ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଅଧିକ ପଚରାଉଚରା ଚଳାଇଛି।

ଏ ପ୍ରସଙ୍ଗରେ ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା କହିଛନ୍ତି ଯେ ପାର୍ସଲ ବୋମା ଘଟଣାର ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କ୍ରାଇମ୍‌ବ୍ରାଞ୍ଚ ଘଟଣାର ଟିକନିକ୍‌ ତଦନ୍ତ କରୁଛି। ଆଜି କ୍ରାଇମ୍‌ବ୍ରାଞ୍ଚର ଗୋଟିଏ ଟିମ୍‌ ରାୟପୁର ଗସ୍ତରେ ଯାଇଛି। ସେଠୁ ଅନେକ ପ୍ରମାଣ ସଂଗ୍ରହ କରାଯିବ। ବିସ୍ଫୋରଣ ଘଟଣାରେ ପୁଞ୍ଜିଲାଲ ମେହେର ପ୍ରମୁଖ ଅଭିଯୁକ୍ତ। ପୂରା ଘଟଣାକୁ ସେ କିଭଳି ଭିଆଇଥିଲା, ସେ ସମ୍ପର୍କରେ ଖୁବ୍‌ ଶୀଘ୍ର ପର୍ଦ୍ଦାଫାସ କରାଯିବ ବୋଲି ଡାକ୍ତର ଶର୍ମା କହିଛନ୍ତି।

ସୂଚନାଯୋଗ୍ୟ,ଫେବ୍ରୁଆରୀ ୨୩ ତାରିଖରେ ଘଟିଥିବା ଏହି ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେମାଆଙ୍କର ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ପତ୍ନୀ ରୀମାରାଣୀ ଆହତ ହୋଇଥିଲେ। ସେ ଏସ୍‌ସିବିରେ ଚିକିତ୍ସିତ ହୋଇ କିଛି ଦିନ ହେବ ଘରକୁ ଫେରିଛନ୍ତି।

ପଢନ୍ତୁ; କ’ଣ କଲେ ଆପଣଙ୍କୁ ରାତିରେ ସୁ-ନିଦ୍ରା ହେବ? ଜାଣନ୍ତୁ ସେ ସମ୍ପର୍କରେ

Related posts

ତୀବ୍ର ଅବପାତ ରୂପ ନେଲା ଲଘୁଚାପ, ଆଜି ରାତିରେ ଝଡ଼ବାତ୍ୟା ଆଶଙ୍କା

ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ୍‌ ଖାନ