ସାଲେପୁର ଦୁଷ୍କର୍ମ ମାମଲା : ଆଖି ବୁଜିଲେ ସାଲେପୁର ପୀଡ଼ିତା 

୯ ଦିନ ସଂଘର୍ଷର ଅନ୍ତ

ନଅ ଦିନ କାଳ ଆଇସିୟୁ ଭେଣ୍ଟିଲେଟରରେ ମୃତୁ ସହ ଲଢେଇ । ତେର ଜଣିଆ ଡାକ୍ତରୀ ଟିମର ନିରନ୍ତର ଚେଷ୍ଟା । ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ୬ ବର୍ଷୀୟା ଶିଶୁକନ୍ୟା । ବଳାତ୍କାରର ଶିକାର ହୋଇ ଏସ୍‌ସିବି ଶିଶୁରୋଗ ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିବା ଏହି କୋମଳମତି ଶିଶୁଙ୍କ ରବିବାର ଅପରାହ୍ନରେ ମୃତ୍ୟୁ ଘଟିଛି।

ଗତ ୨୧ ତାରିଖ ଦିନ ୬ ବର୍ଷର ଏହି ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ । ଏକ ସ୍କୁଲ୍‌ ଘର ଭିତରେ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା। ଅତ୍ୟନ୍ତ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଲଗାତର ଭାବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଘଟୁଥିଲା। ଶେଷରେ ପୀଡ଼ିତା ଆଜି ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ।

ଡାକ୍ତରଙ୍କ କହିବା ଅନୁଯାୟୀ, ପୀଡ଼ିତାଙ୍କର ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଠିକ୍‌ରେ ହେଉ ନଥିବାବେଳେ ଅମ୍ଳଜାନ ପ୍ରବାହ ମଧ୍ୟ ବନ୍ଦ ହୋଇଯାଇଥିଲା । ତେଣୁ ପ୍ରଥମ ଦିନରୁ ସେ କୋମାରେ ରହିଥିଲେ । ପ୍ରଥମ ଦୁଇ ଦିନ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିବାପରେ ତୃତୀୟ ଦିନଠୁ ସ୍ଥିତି ଗୁରୁତର ହେବାରେ ଲାଗିଥିଲା । ମସ୍ତିଷ୍କକୁ ଅମ୍ଳଜାନ ପ୍ରବାହ ବନ୍ଦ ହୋଇଯିବାରୁ ଏହାର ପ୍ରଭାବରେ ଫୁସ୍‌ଫୁସ୍‌, କିଡ୍‌ନି ଓ ଅନ୍ୟାନ୍ୟ ଅଙ୍ଗଗୁଡ଼ିକ ସଂକ୍ରମଣ ହୋଇଥିଲା । ରକ୍ତଚାପ ଓ ହୃଦ୍‌ସ୍ପନ୍ଦନରେ ମଧ୍ୟ ସ୍ଥିରତା ଆସୁନଥିଲା। ଦୁଇ ଦିନ ତଳେ ହଠାତ୍‌ ତାଙ୍କର ହୃଦ୍‌ସ୍ପନ୍ଦନ ହ୍ରାସ ପାଇଥିଲା ।

ଶୁକ୍ରବାରଠୁ ବ୍ରେନ୍‌ ଷ୍ଟେମ୍‌ ଠିକ୍‌ରେ କାମ କରୁନଥିଲାବେଳେ ଶନିବାର ଏହା ମଧ୍ୟ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା । ଆଲୋକ ଓ ଯନ୍ତ୍ରଣାର ପ୍ରଭାବ ଅନୁଭୂତ ହେଉନଥିଲା । କିଛିଦିନ ତଳେ ତାଙ୍କୁ କ୍ଷୀର ପିଇବାକୁ ଦିଆଯାଇଥିଲେ ବି ତାହା ମଧ୍ୟ ବାହାରି ଆସିଥିଲା । ତେଣୁ ସଂପୂର୍ଣ୍ଣ କୋମା ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିଲା । ଏପରି ସ୍ଥିତିରେ ଆଜି ଅପରାହ୍ନ ପ୍ରାୟ ୪ଟା ବେଳକୁ ତାଙ୍କର ପଲ୍ସ କାଉଣ୍ଟିଂ ବନ୍ଦ ହୋଇଯାଇଥିଲା। ହୃଦ୍‌ଘାତ ଯୋଗୁଁ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ରିପୋର୍ଟ ଦେଇଥିଲେ ।

ଅଭିଯୁକ୍ତଙ୍କୁ ଫାଶି ଦେବାକୁ ନାବାଳିକାଙ୍କ ପରିବାରର ଦାବି

ସାଲେପୁର ଥାନା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍‌ର ଫୋଗଳ ଜଗନ୍ନାଥପୁରରେ ଏହି ୬ ବର୍ଷର ନାବାଳିକାକୁ ଦୁଷ୍କର୍ମର ଶିକାର ହୋଇଥିଲେ । ସେହି ରାତି ପ୍ରାୟ ସାଢ଼େ ସାତଟା ବେଳେ ସେ ଘରୁ ଚକୋଲେଟ୍‌ କିଣିବାକୁ ବାହାରକୁ ବାହାରିଥିଲା । ହେଲେ ସେହି ସମୟରେ ପାଓ୍ଵାରକଟ୍‌ ହୋଇଥିବାରୁ ଏହାର ସୁଯୋଗ ନେଇ ପଡ଼ିଶା ଘରର ଅଭିଯୁକ୍ତ ମହମ୍ମଦ ମୁସାକ୍‌ ଚକୋଲେଟ୍‌ ପ୍ରଲୋଭନ ଦେଖାଇ ନିକଟସ୍ଥ ସ୍କୁଲ୍‌ ଘରକୁ ଟେକି ନେଇଥିଲା। ସେଠାରେ ଦୁଷ୍କର୍ମ କରିବା ପରେ ମାରିଦେବାକୁ ଉଦ୍ୟମ କରିଥିଲା । ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯିବା ସହ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ୍‌କୁ ପଠାଯାଇଥିଲା ।

ଅନ୍ୟପଟେ ପୀଡ଼ିତାଙ୍କ ଗାଁରେ ଆଜି କୌଣସି ପ୍ରକାର ଅଘଟଣ ଏଡ଼ାଇବାକୁ ଦୁଇ ସେକ୍ସନ ଫୋର୍ସ ମୁତୟନ କରାଯାଇଛି । ପୀଡ଼ିତାଙ୍କ ବାପା ଓ ଭଉଣୀ ଅଭିଯୁକ୍ତକୁ ଫାଶୀ ଦେବାକୁ ଦାବି କରିଛନ୍ତି ।

ପଢନ୍ତୁ ;

ଜୀରା ଚା’ ପିଇବା ଦ୍ଵାରା ଆମକୁ କ’ଣ ଲାଭ ମିଳିଥାଏ ଜାଣନ୍ତୁ?

Related posts

ଇଣ୍ଡିଗୋ ଏୟାର୍‌ଲାଇନ୍‌ ବସରେ ଅଗ୍ନିକାଣ୍ଡ

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା

କୃଷି ଭବନକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ