ରୁଷିଆକୁ ଟ୍ରମ୍ପ୍‌ଙ୍କ ଧମକ : ୭୨ ଘଣ୍ଟା ମଧ୍ୟରେ ଯୁଦ୍ଧ

ଆମେରିକା କ୍ଷେପଣାସ୍ତ୍ର ପାଇଁ ପ୍ରସ୍ତୁତ ରୁହ

ସିରିୟାକୁ ନେଇ ବିଶ୍ଵର ଦୁଇଟି ମହାଶକ୍ତି ଆମେରିକା ଏବଂ ରୁଷିଆ ଏବେ ମୁହାଁ ମୁହିଁ । ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ସିରିୟାକୁ ଆସୁଥିବା ସମସ୍ତ କ୍ଷେପଣାସ୍ତ୍ରକୁ ବାୟୁ ସୁରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଦ୍ୱାରା ଧ୍ୱଂସ କରିଦେବାକୁ ଧମକ ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ରୁଷିଆକୁ ଯୁଦ୍ଧ ପାଇଁ ଧମକ ଦେଇଛନ୍ତି । ସିରିୟାରେ ରାସାୟନିକ ଆକ୍ରମଣକୁ ନେଇ କ୍ଷୁବ୍ଧ ଆମେରିକା ତୁରନ୍ତ ପଛକୁ ହଟିବାକୁ ରୁଷିଆକୁ ଚେତାବନୀ ଦେଇଛି ।

ଟ୍ଵିଟର୍‌ରେ ଟ୍ରମ୍ପ୍‌ଙ୍କ ଯୁଦ୍ଧ ଧମକକୁ ରୁଷ୍‌ ଗମ୍ଭୀରତାର ସହ ନେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷକୁ ଚେତାବନୀ ଦେଇ କହିଛନ୍ତି ଯେ,   ରୁଷିଆ ଯଦି ସିରିୟାରୁ ନ ଓହରିବ ତେବେ ନିଶ୍ଚିତଭାବେ କ୍ଷେପଣାସ୍ତ୍ର ଆକ୍ରମଣ କରାଯିବ। ଆମେରିକାର କ୍ଷେପଣାସ୍ତ୍ର ଦୁର୍ବଳ ଓ ପୁରୁଣା ବୋଲି ରୁଷ୍‌ ଯାହା ଭାବୁଛି ତାହା ହେବନାହିଁ, ନୂତନ ଓ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଯୋଗେ ଅତିଶୀଘ୍ର ସିରିୟାରେ ଆକ୍ରମଣ କରାଯିବ ବୋଲି ଟ୍ରମ୍ପ୍‌ କହିଛନ୍ତି । ସିରିୟା ସଙ୍କଟକୁ ଜଟିଳ କରୁଥିବା ରୁଷ୍‌ ଏବଂ ଇରାନ୍‌କୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ମିଳିଥିବା ଖବର ମୁତାବକ ଟ୍ରମ୍ପ ଓ ତାଙ୍କ ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ୍‌ ସେମାନଙ୍କର ସମସ୍ତ ବିଦେଶ ଗସ୍ତକୁ ବାତିଲ କରିଦେଇଛନ୍ତି ଏବଂ ସିରିୟା ଅପରେସନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସିରିୟାରେ କ୍ଷେପଣାସ୍ତ୍ର ଓ ରକେଟ୍‌ ମାଡ଼ କରାଯିବା ପୂର୍ବରୁ ୟୁରୋପୀୟ ବିମାନ ଉଡ଼ାଣ ସୁରକ୍ଷା ସଂସ୍ଥାକୁ ମଧ୍ୟ ସତର୍କ ରହିବାକୁ ଆମେରିକା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଆମେରିକା ଏହି ଆକ୍ରମଣ କରିବାକୁ ଯାଉଥିବାରୁ ବିମାନଗୁଡ଼ିକର ଗତିପଥରେ ପରିବର୍ତ୍ତନ କରିବାକୁ ମଧ୍ୟ କୁହାଯାଇଛି ।

ଗୋଟିଏ ସପ୍ତାହରେ ଜାତିସଂଘର ୪ଟି ବୈଠକ ବସିଥିବା ସତ୍ତ୍ୱେ ସିରିୟାର ରସାୟନିକ ଆକ୍ରମଣ ଘଟଣାରେ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ । ଦିନକୁ ଦିନ ସଙ୍କଟ ଜଟିଳ ହେବାରେ ଲାଗିଛି । ଏବେ ଆମେରିକାର ଆକ୍ରମଣ ଧମକ ପରିପ୍ରେକ୍ଷୀରେ ଜାତିସଂଘର ଭୂମିକା କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ପଢନ୍ତୁ ;

ମାସିକ ଭରଣପୋଷଣ ପାଇଁ ୧୫ ଲକ୍ଷ ଦାବି କଲେ ମହମ୍ମଦ ସାମିଙ୍କ ପତ୍ନୀ

Related posts

୮ଶହ ବର୍ଷର ରାଜକୀୟ ପରମ୍ପରା ରଥଯାତ୍ରାରେ ରାଜ କୁମାରୀଙ୍କ ରାଜା ବେଶ

ଘର କିଣିବାରେ ଦେଶର ସବୁଠାରୁ ସୁଲଭ ସହର ଭୁବନେଶ୍ୱର

ରାସ୍ତାରେ ୧୨୦୦ ଲିଟର କ୍ଷୀର ଢାଳିଲେ ଦୁଗ୍ଧଚାଷୀ