ନିଜର ଗାଈ ପଡ଼ିଶା ଘର ବାଡ଼ିରେ ପଶିଗଲା। ଏଥିପାଇଁ ଗାଈ ପାଳିଥିବା ପରିବାରର ଜଣେ ମହିଳାଙ୍କୁ ଦିଆଗଲା ଅକଥନୀୟ ନିଯ୍ୟାତନା। ତିନି ଘଣ୍ଟା ଧରି ତାଙ୍କୁ ଡହ ଡହ ଖରାରେ ବାନ୍ଧି ମାଡ଼ ମରାଗଲା।
ଏଭଳି ଲୋମଟାଙ୍କୁରା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ କୋଇଲିପୁର ପଞ୍ଚାୟତ କାଙ୍କଦିଆ ଗାଁରେ ଘଟିଥିବା ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।
ହୋଇଥିବା ଅଭିଯୋଗ ଅନୁସାରେ ,କାଙ୍କଦିଆ ଗାଁର ବୀରକିଶୋର ରାଉତଙ୍କ ଗାଈ ପଡ଼ିଶା ଘର ଚୈତନ୍ୟ ଜେନାଙ୍କ ବାଡ଼ିରେ ପଶି ଫସଲ ଖାଇ ଦେଇଥିଲା। ଚୈତନ୍ୟଙ୍କ ପତ୍ନୀ ସଞ୍ଜୁଲତା ବୀରକିଶୋରଙ୍କ ପତ୍ନୀ ସାବିତ୍ରୀଙ୍କୁ ଅତି ଦୟନୀୟ ସ୍ଥିତିରେ ଘରୁ ଘୋଷାଡ଼ି ଆଣିଥିଲେ । ସେ ଓ ତାଙ୍କ ପୁଅ ମିଶି ଘର ଆଗରେ ଥିବା ଏକ ଗଛରେ ବାନ୍ଧି ପକାଇବା ସହିତ ମାଡ଼ ମାରିଥିଲେ । ତିନି ଘଣ୍ଟା ଧରି ଏଭଳି ଯାତନା ଭୋଗି ଚାଲିଥିବା ସାବିତ୍ରୀଙ୍କୁ କେହି ମୁକୁଳାଇବାକୁ ସାହସ କରିନଥିଲେ । ପାଣି ଟୋପାଏ ମାଗି ମଧ୍ୟ ପାଇନଥିଲେ ସାବିତ୍ରୀ । ସାବିତ୍ରୀଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ସାବିତ୍ରୀଙ୍କୁ ଉଦ୍ଧାର କରିଛି।