କୋଟିଆକୁ ନେଇ ପୁଣି ନୂଆ ଚାଲ ଖେଳିଛି ଆନ୍ଧ୍ର। କୋଟିଆରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ ତଥା (ନେରିଡିବାଲସା ଆବାସିକ ବିଦ୍ୟାଳୟ) ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ଜାଣିବା ପରେ ବିଜୁଳି ସଂଯୋଗ କାଟି ଦେଇଛି। ଅନ୍ୟପଟେ ଓଡ଼ିଶା ସରକାରଙ୍କ ପକ୍ଷକୁ ଏହି ସ୍କୁଲରେ କରାଯାଇଥିବା ସୋଲାର ସିଷ୍ଟମ ଠିକ୍ରେ କାମ କରୁନଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଛଟପଟ ହେଉଛନ୍ତି ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ।
ସୂଚନାନୁସାରେ, ସ୍କୁଲରେ ନିକଟରେ ଥିବା ତାଡିବାଳସା ଗାଁକୁ ଆନ୍ଧ୍ର ବିଦ୍ୟୁତ ସଂଯୋଗ ଦେଇଥିଲା। ସେହି ଗାଁରେ ବସବାସ କରୁଥିବା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିଜ ବ୍ୟକ୍ତିଗତ ଗୃହକୁ ସଂଯୋଗ ହୋଇଥିବା ବିଦ୍ୟୁତକୁ ଏହି ଆବାସିକ ବିଦ୍ୟାଳୟକୁ ପ୍ରଦାନ କରିଥିଲେ। ହେଲେ କୌଣସି ସୁତ୍ରରୁ ଆନ୍ଧ୍ର ଏହା ଜାଣି ପାରି ୩ ଦିନ ହେଲେ ଏହି ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରିଛି। ଏହାସହ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ୧୦ ହଜାର ଟଙ୍କା ବିଦ୍ୟୁତ ବିଲ୍ ପୈଠ କରିବାକୁ ଏକ ବିଲ୍ ମଧ୍ୟ ଦେଇଥିବା ଜଣାପଡିଛି।