News

ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତା ୨୦୧୮:ବିଜୟିନୀ ହେଲେ ତାମିଲନାଡୁର ମିସ୍‌ ଅନୁକୃତୀ ଭାସ୍‌

By Krishna Kumar Manoj

June 20, 2018

ମୁମ୍ବାଇ ଡୋମ୍‌ସ୍ଥିତ ଏନ୍‌ଏସ୍‌ସିଆଇ ଷ୍ଟାଡିୟମ୍‌ରେ ଆୟୋଜିତ ଫେମିନା ମିସ୍‌ ଇଣ୍ଡିଆର ୫୫ତମ ପ୍ରତିଯୋଗିତା ୨୦୧୮ର ବିଜୟିନୀ ହୋଇଛନ୍ତି ଅନୁକୃତି।

ତାମିଲନାଡୁର ୧୯ ବର୍ଷୀୟ ଅନୁକୃତି ଭାସ୍ ‘ଫେମିନା ମିସ ଇଣ୍ଡିଆ ୨୦୧୮’ ମୁକୁଟ ପିନ୍ଧିଛନ୍ତି । କଲେଜରେ ପଢୁଥିବା ଅନୁକୃତି ୨୯ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ମୁକୁଟ ପିନ୍ଧି ଗୌରବ ଅର୍ଜନ କରିଛନ୍ତି।

ମୁମ୍ବାଇରେ ଆୟୋଜିତ ପ୍ରତିଯୋଗିତାକୁ କରଣ ଜୋହର ଓ ଆୟୂଷ୍ମାନ ଖୁରାନା ପରିଚାଳନା କରିଥିଲେ । ଜଜ ଭୂମିକାରେ ମଲାଇକା ଅରୋରା, ବବି ଦେଓଲ, କୃଣାଳ କପୁର, କ୍ରିକେଟର ଇରଫାନ ପଠାନ ଓ କେ.ଏଲ. ରାହୁଲ ଉପସ୍ଥିତ ଥିଲେ । ଏତଦ ବ୍ୟତୀତ ସମାରୋହରେ ମିସ ୱାଲର୍ଡ ୨୦୧୭ ମାନୁଷୀ ଛିଲର ମଧ୍ୟ ଉପସ୍ଥିତ ଥିଲେ । ମାନୁଷୀ ନିଜ ହାତରେ ଅନୁକୃତିଙ୍କୁ ମିସ ଇଣ୍ଡିଆ ୨୦୧୮ ମୁକୁଟ ପିନ୍ଧାଇ ଦେଇଥିଲେ।

ସୂଚନାଯୋଗ୍ୟ,ଅନୁକୃତି ଭାସ୍ ହଉଛନ୍ତି ତାମିଲ୍‌ନାଡୁର ବାସିନ୍ଦା ଏବଂ ସେ ଲୟଲା କଲେଜ୍‌ରେ ଫ୍ରେଞ୍ଚ୍‌ରେ ସ୍ନାତକ କରୁଛନ୍ତି। ମଡେଲିଙ୍ଗ୍‌ ଏବଂ ଅଭିନୟରେ ତାଙ୍କର ଆଗ୍ରହ ରହିଛି। ପୂର୍ବରୁ ସେ ୩୦ ଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ସମ୍ମାନଜନକ ଏଫ୍‌ବିବି କଲର୍ସ ଫେମିନା ମିସ୍‌ ତାମିଲ୍‌ନାଡୁ ମୁକୁଟ ହାସଲ କରିଥିଲେ। ମିସ୍ ଇଣ୍ଡିଆ ଦିଲ୍ଲୀ ଗାୟତ୍ରୀ ଭରଦ୍ୱାଜ, ମିସ୍‌ ଇଣ୍ଡିଆ ହରିଆଣା ମୀନାକ୍ଷୀ ଚୌଧୁରୀ, ମିସ ଇଣ୍ଡିଆ ଝାଡଖଣ୍ଡ ଷ୍ଟେଫି ପଟେଲ, ମିସ୍‌ ଇଣ୍ଡିଆ ତାମିଲନାଡୁ ଅନୁକୃତି ଭାସ ଓ ମିସ୍‌ ଇଣ୍ଡିଆ ଆନ୍ଧ୍ରପ୍ରଦେଶ ଶ୍ରେୟା ରାଓ ପ୍ରତିଯୋଗିତାର ଶ୍ରେଷ୍ଠ ୫ଟି ସ୍ଥାନରେ ଥିଲେ । ଦିଲ୍ଲୀ, ହରିଆଣା, ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶର ପ୍ରତିଯୋଗୀଙ୍କୁ ହରାଇ ତାମିଲନାଡୁର ଅନୁକୃତି ବିଜୟ ମୁକୁଟ ପିନ୍ଧିଛନ୍ତି । ଏହି ପ୍ରତିଯୋଗିତାରେ ମୀନାକ୍ଷୀ ଚୌଧୁରୀଙ୍କୁ ରନର୍ସ-ଅପ୍ ଓ ଆନ୍ଧ୍ରପ୍ରଦେଶର ଶ୍ରେୟାଙ୍କୁ ୨ୟ ରନର୍ସ ଅପ୍ ମୁକୁଟ ପିନ୍ଧାଯାଇଛି।

ପଢନ୍ତୁ; ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗି ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ