ସାଂସଦ ଅନୁଭବ ମହାନ୍ତିଙ୍କ ପରିବାରକୁ ବିବାଦ ପିଛା ଛାଡୁନାହିଁ। ନିଜେ ଅନୁଭବ ପାରିବାରିକ ବିବାଦରେ ଛନ୍ଦି ହୋଇଥିବାବେଳେ, ବାପା ଅଭୟ କୁମାର ମହାନ୍ତି ମଧ୍ୟ ବିବାଦରେ ଛନ୍ଦି ହୋଇଛନ୍ତି। ଏବେ ଅନୁଭବଙ୍କ ଭାଇ ଅନୁପ୍ରାସ ଏକ ବିବାଦୀୟ ଜମି କିଣି ବିବାଦ ଭିତରେ ଫସିଛନ୍ତି। ଗତ ୩ ତାରିଖରେ କଟକର ଏକ ଘରୋଇ ବ୍ୟାଙ୍କ ଚୌଧୁରୀବଜାର ବାସିନ୍ଦା ଅନୁପ୍ରାସଙ୍କ ଏକ ୪୦ ଡେସିମିଲ ଜମିକୁ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାପରେ ଏହି ବିବାଦ ମୁଣ୍ଡ ଟେକିଛି।ସୂଚନା ଅନୁସାରେ , ନେତାଜୀ ସଂଘକୁ ଓଡ଼ିଶା ସରକାର ଭେଷ୍ଟିଙ୍ଗ କେସ ନଂ ୩୬୫/୧୯୮୦ ମସିହାରେ ତଫସିଲଭୁକ୍ତ ଜମି ଯୋଗାଇ ଦେଇଥିଲେ। ନେତାଜୀ ସଂଘ ଏହି ଜମିକୁ ଦଖଲକୁ ନେଇ ସେଠାରେ ଏକ ପାଠାଗାର ନିର୍ମାଣ କରିଛି। ଦଖଲରେ ଥିଲେ ବି ନେତାଜୀ ସଂଘ ଏହି ଜମିକୁ ସେଟେଲମେଣ୍ଟ୍ କରି ପାରିନାହିଁ। ଏ ନେଇ ସଂଘ ପକ୍ଷରୁ ସେଟେଲମେଣ୍ଟ ଅଧିକାରୀଙ୍କ ନିକଟରେ ମକଦ୍ଦମା ମଧ୍ୟ କରାଯାଇଛି। ସେଟେଲମେଣ୍ଟ୍ ହୋଇ ନଥିବାର ସୁଯୋଗ ନେଇ କିଛିଲୋକ ଚଞ୍ଚକତା କରି ଏହି ଜମିକୁ ନିଜ ନାମରେ କରି ନେଇ ଜମି ପଟ୍ଟା ବାହାର କରି ଏହାର କିଣାବିକା କରିଛନ୍ତି। ପରେ ନେତାଜୀ ସଂଘ ଅଜାଣତରେ ବହୁ ଜମି ବିକ୍ରି ଖର୍ଦ୍ଦି କରିଥିଲେ।