News

ଧାରା ୩୭୭ର ବୈଧତା :ଆଜି ପ୍ରକାଶ ପାଇବ ସୁପ୍ରିମକୋର୍ଟଙ୍କ ରାୟ

By ENO Beuro

September 06, 2018

ଆଜି ଆଇପିସିର ଧାରା ୩୭୭ସାମ୍ବିଧାନିକ ବୈଧତାକୁ ନେଇ ଶୁଣାଣି କରିବେ। ଜୁଲାଇରେ କୋର୍ଟ ୪ ଦିନର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟ ଆଇପିସିର ଧାରା ୩୭୭ ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ ଦେଇଥିବା ଯାଚିକା ଉପରେ ଆଜି ନିଷ୍ପତ୍ତି ଶୁଣାଇବେ। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ପୀଠ ଜୁଲାଇ ୧୭ରେ ଏହି ମାମଲାର ଅନ୍ତିମ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଦୁଇ ଜଣ ବୟସ୍କଙ୍କ ମଧ୍ୟରେ ସହମତି ଭିତ୍ତିରେ ଅପ୍ରାକୃତିକ ଶାରୀରିକ ସମ୍ପର୍କକୁ ଆଇନ ଦୃଷ୍ଟିକୋଣରୁ ଅପରାଧ ଘୋଷଣା କରିବା ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି କେନ୍ଦ୍ର ସରକାର କୋର୍ଟଙ୍କ ଉପରେ ଛାଡ଼ିଦେଇଛନ୍ତି। ପ୍ରଚଳିତ ଆଇନ ଅନୁସାରେ କୌଣସି ପୁରୁଷ, ମହିଳା କିମ୍ବା ପଶୁଙ୍କ ସହିତ ଅପ୍ରାକୃତିକ ଶାରୀରିକ ସମ୍ପର୍କ ସ୍ଥାପନ ଏକ ଅପରାଧ।

ଉଲ୍ଲେଖଯୋଗ୍ୟ, ୨୦୦୯ରେ ହୋଇଥିବା ଏକ ଆବେଦନର ବିଚାର କରି ଦିଲ୍ଲୀ ହାଇକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଆଇନସମ୍ମତ କରିବା ସପକ୍ଷରେ ରାୟ ଦେଇଥିଲେ। କିନ୍ତୁ ୨୦୧୩ରେ ପୁଣି ଅନ୍ୟ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ବାତିଲ କରିଦେଇଥିଲେ। ଧାରା ୩୭୭ରେ ରହିଥିବା ବ୍ୟବସ୍ଥାକୁ ଆଧାର କରି ଏହାକୁ ଅପରାଧ ବୋଲି ବିବେଚନା କରାଯିବ ବୋଲି ସ୍ପଷ୍ଟ କରିଥିଲେ। ତେବେ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଚାଲେଞ୍ଜ୍ କରାଯାଇଥିଲା । ଆଇପିସି ଧାରା ୩୭୭ରେ ରହିଥିବା ବ୍ୟବସ୍ଥା ଅନୁସାରେ କୌଣସି ପୁରୁଷ, ମହିଳା କିମ୍ବା ପ୍ରାଣୀ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କଲେ ଏହାକୁ ଅପରାଧ ବୋଲି ବିବେଚନା କରାଯିବ। ଏଥିରେ ଜଡ଼ିତ ହୋଇ ଦୋଷୀ ପ୍ରମାଣିତ ହେଲେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ମିଳିବ ବୋଲି ବ୍ୟବସ୍ଥା ରହିଛି।

ପଢନ୍ତୁ;କୋଲକତାରେ ମାଝେରହାଟ ଫ୍ଲାଏଓଭର ଭୁଶୁଡିବା ଘଟଣା:୨ ବର୍ଷ ପୂର୍ବରୁ ମିଳିଥିଲା ସତର୍କ ସୂଚନା