SPORTS

ଦ୍ରୁତ ବୋଲର ଆଶିଷ ନେହରା ଙ୍କ ଆନ୍ତର୍ଜାତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ

ଦ୍ରୁତ ବୋଲର ଆଶିଷ ନେହରା ଙ୍କ ଆନ୍ତର୍ଜାତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡିଛି । ନୂଆ ଦିଲ୍ଲୀର ଫିରୋଜ ଶାହା କୋଟଲା ପଡ଼ିଆରେ ଶେଷ ମ୍ୟାଚ୍‌ ଖେଳି ବାମହାତୀ ଦ୍ରୁତ ବୋଲର ଆଶିଷ ନେହେରା ବୁଧବାର ତାଙ୍କ ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନ ଶେଷ କରିଛନ୍ତି। ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବା ସହିତ ନେହେରା ତାଙ୍କ ୧୮ ବର୍ଷର ଖେଳ ଜୀବନରେ ପୂର୍ଣ୍ଣଛେଦ ଟାଣିଛନ୍ତି। ଏହି ମ୍ୟାଚ୍‌ରେ ସେ ଓ୍ଵିକେଟ୍‌ ପାଇନଥିଲେ ମଧ୍ୟ ସାଥୀ ଖେଳାଳିମାନେ ବିଜୟ ସହ ତାଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇଛନ୍ତି।

ନେହେରାଙ୍କୁ ସମ୍ମାନ ଜଣାଇ ଦିଲ୍ଲୀ ଜିଲ୍ଲା କ୍ରିକେଟ୍‌ ସଂଘ ବୁଧବାର ତାଙ୍କ ନାମରେ ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ର ଗୋଟିଏ ପାର୍ଶ୍ୱକୁ ନାମକରଣ କରିଥିଲା। ଆଉ ସେହି ପାର୍ଶ୍ୱରୁ ହିଁ ନିଜ ଆନ୍ତର୍ଜାତିକ ଜୀବନର ଶେଷ ଓଭର ବୋଲିଂ କରି ବିଦାୟ ନେଇଥିଲେ। ନିଜ ନାମରେ ନାମିତ ପାର୍ଶ୍ୱରୁ ବୋଲିଂ କରିବାରେ ନେହେରା ମଧ୍ୟ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ଙ୍କ ପରେ ଦ୍ୱିତୀୟ ଆନ୍ତର୍ଜାତିକ ବୋଲର ହୋଇଥିଲେ। ପୂର୍ବରୁ ମ୍ୟାଚ୍‌ର ଟସ୍‌ ପଡ଼ିଲା ବେଳେ ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନେହେରାଙ୍କ ୧୮ ବର୍ଷ ଖେଳ ଜୀବନର ସ୍ମୃତିଚାରଣ କରିବା ସହିତ ତାଙ୍କୁ ଏକ ଟ୍ରଫି ଉପହାର ପ୍ରଦାନ କରିଥିଲେ। ଏଥି ସହିତ ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ୍‌, ଭିଭିଏସ୍‌ ଲକ୍ଷ୍ମଣ, ବୀରେନ୍ଦ୍ର ସେହବାଗ୍‌, ଜାହିର ଖାନ୍‌ଙ୍କ ପରେ ନେହେରାଙ୍କ ଯୁଗର ମଧ୍ୟ ଅବସାନ ଘଟିଲା । ବହୁ କ୍ରିକେଟ ତାରକା ନେହେରାଙ୍କୁ ବିଦାୟୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

୧୯୯୯ ଫେବ୍ରୁଆରି ୨୪ରେ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିବା ନେହେରା ତାଙ୍କ ୧୮ ବର୍ଷର ଲମ୍ବା ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନ ମଧ୍ୟରେ ୧୭ ଟେଷ୍ଟ ଖେଳି ୪୪ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ୬/୧୧୭ ତାଙ୍କର ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା । ଟେଷ୍ଟରେ ସେ ୧୧ ଥର ଅପରାଜିତ ରହିଥିଲା ବେଳେ ମୋଟ ୭୭ ରନ୍‌ କରିଥିଲେ । ୨୦୦୪ରେ ରାଓ୍ଵଲପିଣ୍ଡିରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ତାଙ୍କର ଶେଷ ଟେଷ୍ଟ ଥିଲା। ତେବେ ୨୦୦୧ରେ ହରାରେଠାରେ ଜିମ୍ବାୱେ ବିପକ୍ଷରୁ ଦିନିକିଆ ପଦାର୍ପଣ କରିଥିବା ନେହେରା ମୋଟ ୧୨୦ ମ୍ୟାଚ୍‌ ଖେଳି ୧୫୭ ଓ୍ଵିକେଟ୍‌ ଦଖଲ କରିଥିଲେ। ୬/୨୩ ଦିନିକିଆରେ ତାଙ୍କର ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା। ୨୦୧୧ ମାର୍ଚରେ ମୋହାଲିରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ତାଙ୍କ ଶେଷ ଦିନିକିଆ ଆନ୍ତର୍ଜାତିକ ଥିଲା। ୨୦୦୯ ଡିସେମ୍ବରରେ ନାଗପୁରଠାରେ ଶ୍ରୀଲଙ୍କା ବିପକ୍ଷରେ ନେହେରା ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ।

ବୁଧବାରକୁ ମିଶାଇ ସେ ୨୭ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲା ବେଳେ ୩୪ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ୩/୧୯ ତାଙ୍କର ଶ୍ରେଷ୍ଠ ଟେ୍ଵଣ୍ଟି-୨୦ ବୋଲିଂ ଚିତ୍ର ଥିଲା। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ୨୦୦୩ ବିଶ୍ୱକପ୍‌ ଦଳର ସଦସ୍ୟ ମଧ୍ୟ ଥିଲେ ନେହେରା। ସେହି ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ଏକ ମ୍ୟାଚ୍‌ରେ ୨୩ ରନ୍‌ରେ ୬ ଓ୍ଵିକେଟ୍‌ ଦଖଲ କରିଥିବା ତାଙ୍କ ପାଇଁ ସ୍ମରଣୀୟ ମୁହୂର୍ତ୍ତ ଥିଲା ବୋଲି ନେହେରା କହିଥିଲେ। ଏହାପରେ ସେ ଧୋନିଙ୍କ ନେତୃତ୍ୱରେ ଖେଳି ୨୦୧୧ ବିଶ୍ୱକପ୍‌ ବିଜେତା ହୋଇଥିଲେ।

୧୯୯୭ ମସିହାରେ ଦିଲ୍ଲୀ ପାଇଁ ରଣଜୀ ଟ୍ରଫି ଖେଳି ନେହେରା ଶେଷରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିଲେ। ୨୦୦୩ ବିଶ୍ୱକପ୍‌ ଫାଇନାଲ୍‌ ତାଙ୍କ ଖେଳ ଜୀବନର ଶ୍ରେଷ୍ଠ ମୁହୂର୍ତ ହୋଇଥିଲେ ବି ଏହା ଅଧୁରା ରହିଗଲା। ଭାରତ ସେଥର ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଉପ ବିଜେତାରେ ସନ୍ତୁଷ୍ଟ ରହିଥିଲା। ଭାରତ ପାଇଁ ମୋଟ ୧୬୪ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ନେହେରା ଆଇପିଏଲ୍‌ରେ ୧୩୧ ମ୍ୟାଚ୍‌ ଖେଳି ୧୬୨ ଓ୍ଵିକେଟ୍‌ ନିଜ ନାମରେ ରଖିଛନ୍ତି ।

ବିଗତ ୧୮ ବର୍ଷ କ୍ୟାରିୟରରେ ବହୁ ବାଧାବିଘ୍ନ ଆସିଛି । ତଥାପି ମୁଁ ଦୃଢ ଆତ୍ମବିଶ୍ଵାସର ସହ ଆଗକୁ ବଢିଛି । ଆହତ ସମସ୍ୟା ମୋ କ୍ୟାରିୟରକୁ ବହୁ ବାର ପ୍ରଭାବିତ କରିଛି । ଦୀର୍ଘଦିନ କ୍ରିକେଟ ଠୁ ଦୂରେଇ ରହିଲେ ମଧ୍ୟ ମୁଁ ପୁଣି ଜାତୀୟ ଦଳକୁ ଫେରି ପାରିଥିଲି । ଆଜି ପରେ ଆଉ ଏ ସମାରୋହ ମତେ ମିଳିବ ନାହିଂ । ଏ ପରିବେଶକୁ ବହୁତ ମନେପକାଇବି । ଯେବେ ମୁଁ କ୍ୟାରିୟର ଆରମ୍ଭ କରିଥିଲି ଓ ଆଜି ମଧ୍ୟରେ କ୍ରିକେଟରେ ବହୁ ପରିବର୍ତ୍ତନ ଆସିଛି । ମୁଁ ବହୁତ ଜଣଙ୍କ ନେତୃତ୍ଵରେ ଖେଳିଥିଲି । ମତେ ପ୍ରାୟତଃ ଶେଷ ଓଭର ବୋଲିଂ ଦିଆଯାଏ । କିନ୍ତୁ ଆଜି ମୋ ଉପରେ କୌଣସି ଚାପ ନଥିଲା । ଅବସର ପରେ ମୋ ଶରୀର ଶାନ୍ତ ହେବ ବୋଲି ଭାବ ବିହ୍ଵଳିତ ହେଇ କହିଥିଲେ ନେହେରା ।

ଦ୍ରୁତ ବୋଲର ଆଶିଷ ନେହରାଙ୍କ ଆନ୍ତର୍ଜାତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ

Related posts

ଆଇପିଏଲ୍‌ ୧୧: ଗେଲ୍‌ ଝଡ଼,କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ୧୫ ରନ୍ ରେ ବିଜୟୀ

ENO Beuro

ଆଜଲାନ ଶାହ କପ୍‌ ହକି : ଇଂଲଣ୍ଡ ସହ ପଏଣ୍ଟ୍‌ ଭାଗ କଲା ଭାରତ

ENO Beuro

ନିଦହାସ ଟି-ଟ୍ୱେଂଟି ତ୍ରିରାଷ୍ଟ୍ରୀୟ ସିରିଜ : ବାଂଲାଦେଶକୁ ୬ ଓ୍ଵିକେଟରେ ହରାଇଲା ଭାରତ

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More