ବ୍ୟାବସାୟିକ ଘର ହେଉ କି ବ୍ୟକ୍ତିଗତ ଘର, ରଙ୍ଗରେ ସମାନତା ଆଣିବାକୁ ଖୁବଶୀଘ୍ର ପୁଣି ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ସରକାର । ଫିକା ହଳଦୀ ବଦଳରେ ଫିକା ଗୋଲାପୀ ରଙ୍ଗରେ ସଜେଇ ହୋଇପାରେ ବଡ଼ଦାଣ୍ଡର ସବୁ କୋଠା । ନବକଳେବର ସମୟରେ ବଡ଼ଦାଣ୍ଡରେ ଥିବା କୋଠାର ରଙ୍ଗରେ ସମାନତା ଆଣିବା ଉଦ୍ଦେଶ୍ୟରେ ପ୍ରଥମ ପଦକ୍ଷେପ ନିଆଯାଇଥିଲା । ସବୁ କୋଠାକୁ ସରକାରଙ୍କ ପକ୍ଷରୁ ଫିକା ହଳଦିଆ ରଙ୍ଗରେ ରଙ୍ଗାଯାଇଥିଲା । ସେବେଠୁ ବଡ଼ଦାଣ୍ଡ ଉଭୟ ପାର୍ଶ୍ୱରେ ଥିବା ଘରୋଇ ଓ ବ୍ୟାବସାୟିକ କୋଠାକୁ ଲୋକେ ଫିକା ହଳଦିଆ ରଙ୍ଗ ଦେଉଛନ୍ତି ।
ସୂଚନାନୁସାରେ, ଗତକାଲି ଫାଇଭ୍ ଟି ଅଧ୍ୟକ୍ଷଙ୍କ ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ସମୟରେ ବଡ଼ଦାଣ୍ଡ ପାର୍ଶ୍ୱରେ ଥିବା କୋଠାର ରଙ୍ଗ ବଦଳାଯିବା ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ଏହାକୁ ଶେଷ କରାଯିବ ।ପୁରୀ ଗସ୍ତବେଳେ ବଡଦାଣ୍ଡକୁ ସମାନ ରଙ୍ଗ ଦେବା ପାଇଁ ଶ୍ରୀମନ୍ଦିର କାନ୍ଥରେ ଲାଗିଥିବା ଏକାଧିକ ରଙ୍ଗକୁ ଅନୁଧ୍ୟାନ କରିଥିଲେ ୫-ଟି ସଚିବ । ବଡଦାଣ୍ଡର ସମାନତା ଓ ସୌନ୍ଦର୍ଯ୍ୟକରଣ ପାଇଁ ଗୋଟିଏ ରଙ୍ଗ ସବୁ କୋଠାକୁ କରିବାକୁ ଯୋଜନା କରାଯାଇଛି । କାନ୍ଥକୁ ରଙ୍ଗ ବ୍ରସରେ ଠିକାସଂସ୍ଥାମାନେ ରଙ୍ଗ ଦେଇଥିଲେ । ୧୪ରୁ ଅଧିକ ରଙ୍ଗ ଅନୁଧ୍ୟାନ କରିବା ପରେ ଫିକା ଗୋଲାପୀ ରଙ୍ଗ ଚୟନ କରାଯାଇଛି । ତେବେ ଆବଶ୍ୟକ ପଡିଲେ ଏହି ରଙ୍ଗ ବଦଳିପାରେ ବୋଲି ନିଷ୍ପତି ହୋଇଛି । ବୁଦ୍ଧିଜୀବୀ ଓ ସେବାୟତ ଏହାକୁ ସ୍ୱାଗତ କରିବା ସହ ସବୁବର୍ଷ ଏହା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ।