ପାକିସ୍ତାନ ସଂସଦରେ ଖୋଲିବ ବିୟୁଟି ପାର୍ଲର୍ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ମହିଳା ସାଂସଦଙ୍କ ପାଇଁ ସଂସଦ ଭବନରେ ଖୋଲିବେ ବିୟୁଟି ପାର୍ଲର । କଥାଟା ଆପଣଙ୍କୁ ଅଡୁଆ ଲାଗୁଥିଲେ ବି ଏହା ଏକଦମ୍ ସତ । ଗୋଟିଏ ପଟେ ପାକିସ୍ତାର ଆର୍ଥିକ ସ୍ଥିତି ଦିନକୁ ଦିନ ଚରମସୀମା ଦେଇ ଗତି କରୁଥିବା ବେଳେ ଏବେ ପାକିସ୍ତାନର ସଂସଦ ପରିସର ପାଇଁ ହୋଇଥିବା ଏଭଳି ଏକ ଘୋଷଣା ସେଠାକାର ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ପାକିସ୍ତାନ ସଂସଦ ପରିସରରେ ମହିଳା ସାଂସଦଙ୍କ ପାଇଁ ବିୟୁଟି ପାର୍ଲର ଖୋଲିବାକୁ ଦିଆଯାଇଛି ନିର୍ଦ୍ଦେଶ । ପାକିସ୍ତାନର ସିନେଟର ଏକ କମିଟି ଜାତୀୟ ରାଜଧାନୀ ଇସଲାମାବାଦର ସର୍ବୋଚ୍ଚ ନାଗରିକ ଏଜେନ୍ସିକୁ ସଂସଦ ପରିସରରେ ଏକ ବିୟୁଟି ପାର୍ଲର ଖୋଲିବାକୁ କହିଛି ।
ଏଠାରେ ଆମେ କହି ରଖୁଛୁ କି, ଇସଲାମବାଦ ସ୍ଥିତ ସଂସଦ ପରିସରରେ ବିୟୁଟି ପାର୍ଲର ଖୋଲିବା ପୂର୍ବରୁ ବି ଅନେକ ପ୍ରତିଷ୍ଠାନ ଖୋଲାଯାଇସାରିଛି । ସଂସଦୀୟ ଲଜ ପରିସରରେ ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ଜିନିଷ ପାଇଁ ଏକ ଦୋକାନ ମଧ୍ୟ ନିକଟରେ ଖୋଲାଯାଇଛି ।