SPORTS

ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡାବିତ ମାନଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି

ଭାରତୀୟ ହକିର ଶ୍ରେଷ୍ଠ ଖେଳାଳି ଧ୍ୟାନଚାନ୍ଦଙ୍କ ୧୧୩ତମ ଜନ୍ମତିଥି ଉପଲକ୍ଷେ ମଙ୍ଗଳବାର  ପାଳିତ ହୋଇଥିବା ‘ଜାତୀୟ କ୍ରୀଡ଼ା ଦିବସ’ ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ୨୦୧୬ ମସିହା ପାଇଁ କ୍ରୀଡାବିତ ମାନଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି ।

ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବଣ୍ଟନ  କରିଥିଲେ।  କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦେଶକ ଆର ଭିନିଲକୃଷ୍ଣା ପ୍ରମୁଖ ସମ୍ମାନିତ ଅତିଥି ଥିଲେ।

ଦୌଡ଼ରାଣୀ ଦୁତି ଚାନ୍ଦ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ଲାଭ କରି ଟ୍ରଫି ଓ ମାନପତ୍ର ସହ ୨ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ହାସଲ କରିଛନ୍ତି। ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ ଜୀବନବ୍ୟାପୀ ସେବା ପାଇଁ  ୩ ଲକ୍ଷ ଟଙ୍କା ସହ ଟ୍ରଫି ଏବଂ ମାନପତ୍ର ପାଇଥିଲେ ।

କରାଟେ ଗୁରୁ ହରିପ୍ରସାଦ ପଟ୍ଟନାୟକଙ୍କୁ କ୍ରୀଡ଼ା ବିକାଶ କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପୁରସ୍କାର ମିଳିଥିଲା । ତାଙ୍କୁ ଟ୍ରଫି ଏବଂ ମାନପତ୍ର ସହ ୫୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।

ବର୍ଷର ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର କବାଡ଼ି ପ୍ରଶିକ୍ଷିକା ସଂହିତା ଦାସ ଅର୍ଜନ କରିଥିଲେ। କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ରଂଜନୀକାନ୍ତ ଶତ୍ରୁସଲ୍ୟ ଏବଂ ଅଶୋକ କୁମାର ପଣ୍ଡା ଯୁଗ୍ମ ଭାବେ ଶ୍ରେଷ୍ଠ ସାମ୍ବାଦିକତା ପୁରସ୍କାର ଲାଭ କରିଥିଲେ ।  ସଂହିତା ୧ ଲକ୍ଷ ଏବଂ ଅଶୋକ ଓ ରଂଜନୀକାନ୍ତ ୨୫ ହଜାର ଟଙ୍କା ଲେଖାଏଁର ଆର୍ଥିକ ପୁରସ୍କାର ସହ ଟ୍ରଫି ଏବଂ ମାନପତ୍ର ପାଇଥିଲେ।

ଏହି ଅବସରରେ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ସଫଳ ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିବା  ୧୦ ଜଣ ସଫଳ କ୍ରୀଡ଼ାବିତ୍‌ଙ୍କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ପାରା ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରମୋଦ ଭଗତଙ୍କୁ ସର୍ବାଧିକ ୧୩,୫୦୦୦୦ ଟଙ୍କାର ପୁରସ୍କାର ରାଶି ମିଳିଥିଲା।

ସେହିଭଳି ଦିବ୍ୟାଙ୍ଗ ଧାବିକା ଜୟନ୍ତୀ ବେହେରାଙ୍କୁ ୧୨ ଲକ୍ଷ, ରାଜେଶ ମେହେରଙ୍କୁ  ୮ ଲକ୍ଷ ଓ ହକି ତାରକା ଦୀପସାନ ତିର୍କିଙ୍କୁ ୮ ଲକ୍ଷ ଟଙ୍କା ମିଳିଥିଲା। ବିଶ୍ୱକପ୍‌ ସଫଳତା ଲାଗି ଦୃଷ୍ଟିହୀନ କ୍ରିକେଟ୍‌ ତାରକା ଜାଫର ଇକବାଲ ଏବଂ ସୁଖରାମ ମାଝୀ ୫ ଲକ୍ଷ ଟଙ୍କା ଲେଖାଏଁ ହାସଲ କରିଥିଲେ।

ସ୍ପେଶାଲ ଅଲିମ୍ପିକ୍ସର ବିଚ୍‌ ଭଲିବଲ୍‌ ଖେଳାଳି ସରିତା ରାଉତରାୟଙ୍କୁ  ଅଢ଼େଇ ଲକ୍ଷ ମିଳିଥିଲା ବେଳେ  ରିଲେ ଫର୍ମାଟରେ ଇଂଲିସ୍‌ ଚ୍ୟାନେଲ ପାର କରିଥିବା ଜି ନରହରିଙ୍କୁ ତାଙ୍କ ଅନନ୍ୟ ତଥା ସାହସିକ ସଫଳତା ଲାଗି ୩ ଲକ୍ଷ ଟଙ୍କା ମିଳିଥିଲା। ନିକଟରେ ଶେଷ ହୋଇଥିବା ବିଶ୍ୱ ପୁଲିସ ଏବଂ ଫାୟାର ଗେମ୍ସର ସଫଳତା ଲାଗି ଧାବିକା ବୋନିତା ଲାକ୍ରା ଏବଂ ବିଘ୍ନରାଜ ମରିଦିଆଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦିଆ ଯାଇଥିଲା।

 

ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡାବିତ ମାନଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି  ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡାବିତ ମାନଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି

Related posts

ବିଶ୍ୱ ଉସୁ ଚାମ୍ପିୟନସିପ:ବବୁଲୁଙ୍କୁ ରୌପ୍ୟ ପଦକ

Krishna Kumar Manoj

ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ଶୃଙ୍ଖଳା ପୂର୍ବରୁ ହିଁ ଜସପ୍ରିତ ବୁମରାହଙ୍କୁ ମିଳିଲା ଫାଇଦା

Krishna Kumar Manoj

୨୦୩ ରନରେ ପାକିସ୍ତାନକୁ ହରାଇ ଭାରତ ଫାଇନାଲରେ :୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More