News

ଛତିଶଗଡ ଯୋଗୁଁ ମହାନଦୀରେ ବନ୍ୟା ଆଶଂକା ସୃଷ୍ଟି ହୋଇଛି:ଦେବି ମିଶ୍ର

By ENO Beuro

August 30, 2018

ଓଡ଼ିଶାରେ ସମ୍ଭାବ୍ୟ ବନ୍ୟା ପାଇଁ ଛତିଶଗଡ଼ ଦାୟୀ। ଏହି ଅଭିଯୋଗ ଆଣିଛି ବିଜେଡି। ଛତିଶଗଡ଼ର ମନମୁଖି କାର୍ଯ୍ୟ ପାଇଁ ଓଡ଼ିଶା ମହାନଦୀରେ ବନ୍ୟା ପାଣିର ସୁଅ ଛୁଟୁଛି ବୋଲି ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି। “ଖରାଦିନେ ମହାନଦୀରେ ପାଣି ନଥିବାରୁ ଓଡ଼ିଶାର ଚାଷୀମାନେ ବହୁ ଅସୁବିଧା ଭୋଗିଥିଲେ। କଲ୍‌ମା ବ୍ୟାରେଜରେ ପାଣି ଅଟକାଇ ରଖିଲା ଛତିଶଗଡ଼। ଯେତେ ଦାବି କଲେ ବି ଛତିଶଗଡ଼ ଶୁଣିଲାନି। ଏବେ ବର୍ଷା ଲାଗି ରହିବାରୁ କୌଣସି ପ୍ରାକ୍ ସୂଚନା ନଦେଇ ହରାକୁଦ ଡ୍ୟାମକୁ ପାଣି ଛାଡ଼ିଲା। ଫଳରେ ୧୧ଟି ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି”, କହିଛନ୍ତି ଦେବୀ ପ୍ରସାଦ ମିଶ୍ର।

ସୂଚନାଯୋଗ୍ୟ,ହୀରାକୁଦରୁ ୨୫ଟି ଗେଟ୍‌ଦେଇ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୫୮ ଫୁଟ ରହିଛି। ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୧୯ ହଜାର ୧୫୦ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୪ ଲକ୍ଷ ୮ହଜାର ୧୦୩ କ୍ୟୁସେକ ନିଷ୍କାସିତ ହେଉଛି । ଖଇରମାଲ ନିକଟରେ ୭ ଲକ୍ଷ ୬୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ବରମୂଳରେ ୪ ଲକ୍ଷ ୫୮ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି ମୁଣ୍ଡଳି ବ୍ୟାରେଜରେ ୬ ଲକ୍ଷ ୨୫ ହଜାର ୯୭୫ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ଜଣାପଡ଼ିଛି।

ପଢନ୍ତୁ;ପୁଣି ରୂପା ଜିତିଲେ ଦୂତି,୨୦୦ ମିଟରରେ ଦୂତିଙ୍କୁ ରୌପ୍ୟ ପଦକ