ପୁଣି ଖୋଲିଲା ବୋଫର୍ସ ଫାଇଲ୍,ହାଇକୋର୍ଟ ରାୟ ବିରୁଦ୍ଧରେ ସର୍ବୋଚ୍ଚ ଅଦାଲତରେ ସିବିଆଇ
୧୨ ବର୍ଷ ପରେ ପୁଣି ଚର୍ଚ୍ଚାରେ ବୋଫର୍ସ ବିବାଦ । ଦିଲ୍ଲୀ ହାଇକୋର୍ଟଙ୍କ ବାର ବର୍ଷ ତଳର ରାୟ ବିରୁଦ୍ଧରେ ସର୍ବୋଚ୍ଚ ଅଦାଲତରେ ଆବେଦନ କଲା ସିବିଆଇ । ମାମଲା ପୁଣିଥରେ ଖୋଲିବାକୁ ସିବିଆଇ ଆବେଦନ କରିଛି । ବହୁ ଚର୍ଚ୍ଚିତ ବୋଫର୍ସ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ୨୦୦୫ ମେ ୩୧ରେ ଦେଇଥିବା ରାୟକୁ ଚ୍ୟାଲେଞ୍ଜ୍ କରି ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏହି ମାମଲାରେ ହାଇକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିବା ବେଳେ ସୁପ୍ରିମକୋର୍ଟରେ ଆଗତ ଏହି ମାମଲା କଂଗ୍ରେସ ପାଇଁ ଅଡୁଆ ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି ।
ଉଲ୍ଲେଖନୀୟ ଯେ ସିବିଆଇ ଏହି ମାମଲାରେ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେବାର ଟିକ ଗୋଟିଏ ଦିନ ପୂର୍ବରୁ ଆଟର୍ନୀ ଜେନେରାଲ ବେଣୁଗୋପାଳ କହିଥିଲେ ଯେ ଏହି ମାମଲାରେ ଆଉ କୌଣସି ପିଟିସନ୍ ଦାଏର କରିବା ଆବଶ୍ୟକତା ନାହିଁ । ଆଟର୍ନୀ ଜେନେରାଲଙ୍କ ଅନୁସାରେ ଏହି ମାମଲାକୁ ଦୀର୍ଘ ସମୟ ହୋଇଗଲାଣୀ ତେଣୁ ଏବେ ଏହି ମାମଲାରେ କୌଣସି ତଦନ୍ତ ସମ୍ଭବ ନୁହେଁ ଓ ଫଳପ୍ରଦ ହେବ ନାହିଁ । ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟୀର ସଦସ୍ୟ ଓ ଓକିଲ ଅଜୟ କୁମାର ଅଗ୍ରୱାଲ ହାଇକୋର୍ଟ ନିର୍ଣ୍ଣୟ ବିପକ୍ଷରେ ମାମଲା ରୁଜୁ କରିଥିଲା ।
ଭାରତୀୟ ସେନା ପାଇଁ ୪୦୦ ସଂଖ୍ୟକ ଅତ୍ୟାଧୁନିକ ୧୫୫ମିମି. ହୋଓ୍ଵିଜର ବନ୍ଧୁକ ଯୋଗାଣ ପାଇଁ ସ୍ୱେଡେନ୍ର ଯୁଦ୍ଧାସ୍ତ୍ର ନିର୍ମାଣକାରୀ ସଂସ୍ଥା ଏ ବି ବୋଫର୍ସ ୧୯୮୬ ମାର୍ଚ୍ଚ ୨୪ରେ ଭାରତ ସରକାରଙ୍କ ସହ ୧,୪୩୭ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଥିଲା। ତେବେ ଏହି ରାଜିନାମା ପାଇଁ ଭାରତର କିଛି ବରିଷ୍ଠ ନେତା ଏବଂ ସେନାଧିକାରୀଙ୍କୁ ବୋଫର୍ସ କମ୍ପାନି ୬୪ କୋଟିର ଲାଞ୍ଚ ଦେଇଥିଲା ବୋଲି ୧୯୮୭ ଏପ୍ରିଲ୍ ୧୬ରେ ସ୍ୱେଡେନ୍ ବେତାର ବାର୍ତ୍ତା ଦାବି କରିଥିଲା। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ୧୯୯୦ ଜାନୁଆରି ୨୨ରେ ଘଟଣାର ତଦନ୍ତ ଆରମ୍ଭ କରି ୧୦ ବର୍ଷ ପରେ ବୋଫର୍ସ କମ୍ପାନିର ତତ୍କାଳୀନ ନିର୍ଦ୍ଦେଶକ ମାର୍ଟିନ୍ ଆର୍ଡବୋ, ମଧ୍ୟସ୍ଥି ଓ୍ଵିନ୍ ଚଢ଼ା, ଇଟାଲୀୟ ବ୍ୟବସାୟୀ ଅଟ୍ଟାଭିଓ କ୍ୱାତ୍ରୋଚି, ତତ୍କାଳୀନ ପ୍ରତିରକ୍ଷା ସଚିବ ଏସ୍କେ ଭଟ୍ଟନଗର ଏବଂ ଯୁରୋପରେ ଅବସ୍ଥାପିତ ଭାରତୀୟ ବ୍ୟବସାୟୀ ହିନ୍ଦୁଜା ଭ୍ରାତାଙ୍କ ବିରୋଧରେ ଚାର୍ଜ ସିଟ୍ ଦାଖଲ କରିଥିଲା।
ପଢନ୍ତୁ ;
ଆସନ୍ତୁ ଜାଣିବା , ବର୍ଷା ଦିନରେ କେଉଁ କେଉଁ ଖାଦ୍ୟ ପଦାର୍ଥ ଖାଇଲେ ଏହା ଶରୀରଉପରେ କୁପ୍ରଭାବ ପକାଇଥାଏ