ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣାକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଆସିଛି ଡ଼ିଏନଏ ରିପୋର୍ଟ। ରିପୋର୍ଟ ମୁତାବକ ଅଭିଯୋଗକାରୀ ପିତା ତଥା କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ବାସିନ୍ଦା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କର ପୁଅ ନୁହେଁ, ଝିଅ ହିଁ ଜନ୍ମ ହୋଇଥିଲା।ଷ୍ଟେଟ୍ ଫୋରେନ୍ସିକ୍ ସାଇନ୍ସ ଲାବରେଟୋରି(ଏସ୍ଏଫ୍ଏସ୍ଏଲ) ପକ୍ଷରୁ ପୋଲିସକୁ ମିଳିଥିବା ଡିଏନ୍ଏ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଏ ସଂକ୍ରାନ୍ତରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଗତ ସେପ୍ଟେମ୍ବର ୨୬ ତାରିଖ ଦିନ ରାଜଧାନୀ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ। ହେଲେ ଏନେଇ ପରେ ତାଙ୍କୁ ଯେତେବେଳେ ହସ୍ତାନ୍ତର କରାଗଲା ସେ ଜାଣିବାକୁ ପାଇଲେ ଯେ ତାଙ୍କୁ ଏକ କନ୍ୟା ସନ୍ତାନ ଦିଆଯାଇଛି। ଏନେଇ ସେ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ନିର୍ଦ୍ଦେଶକ କହିଥିଲେ ଯେ, ଏହି ଘଟଣାର ତଦନ୍ତ ହେବ। ଡିଏନଏ ଟେଷ୍ଟ କରାଯିବ ବୋଲି ମଧ୍ୟ ହସ୍ପିଟାଲ୍ ନିର୍ଦ୍ଦେଶକ ସୂଚନା ଦେଇଥିଲେ। କୋର୍ଟ ଅନୁମତି ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଗତ ସୋମବାର ଦିନ ମା ଓ ଝିଅର ଡିଏନ୍ଏ ନମୁନା ନେଇଥିଲେ। ଏହାର ରିପୋର୍ଟ ଆସିଲା ପରେ ମେଡିକାଲ ପକ୍ଷରୁ କୁହାଯାଇଛି ଯେ, ପ୍ରାଣକୃଷ୍ଣ ବିଶ୍ବାଳଙ୍କ ପୁଅ ହୋଇ ନଥିଲା। ବରଂ ତାଙ୍କର ଝିଅ ହୋଇଥିଲା।