ଶ୍ରଦ୍ଧା ନାମୀ ମହିଳାଙ୍କୁ ନେଇ ଗତ କିଛି ଦିନ ହେବ ରାଜ୍ୟ ରାଜନୀତି ଉଠୁଥିଲା ଓ ପଡ଼ୁଥିଲା । ଶ୍ରଦ୍ଧା ନାମୀ ମହିଳାଙ୍କୁ ନେଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପ୍ରତିକ୍ରିୟା ନେଇ ଚର୍ଚ୍ଚା ଲାଗି ରହିଥିଲା । ମୌସୁମୀ ଅଧିବେଶନ ଆରମ୍ଭରୁ ଶ୍ରଦ୍ଧା ନାମୀ ଏହି ମହିଳାଙ୍କୁ ନେଇ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚରାଯାଇଥିଲା । ଆଉ ଏହି ବହୁଚର୍ଚ୍ଚିତ ପ୍ରଶ୍ନର ଉତ୍ତର ଆଜି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତ୍ତି ଆକାରରେ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ଶ୍ରଦ୍ଧା ହେଉଛନ୍ତି ମୋ ଫିଜିଓ ଥେରାପିଷ୍ଟ । ମୋ ଭଉଣୀ ଗୀତା ମେହଟ୍ଟା ତାଙ୍କୁ ପଠାଇଥିଲେ । ମୋ ଫିଜିକାଲ ଫିଟ୍ନେସ ପାଇଁ ମୋ ଭଉଣୀ ତାଙ୍କୁ ପଠାଇଥିଲେ ।" ଶ୍ରଦ୍ଧାଙ୍କୁ ଭୁବନେଶ୍ବରରେ ଏକ ସରକାରୀ ଘର ଦିଆଯାଇଥିବା ନେଇ ଚର୍ଚ୍ଚାକୁ ମୁଖ୍ୟମନ୍ତ୍ରୀ ଖଣ୍ଡନ କରିଛନ୍ତି । ଶ୍ରଦ୍ଧାଙ୍କୁ ସରକାରୀ ଘର ଦିଆଯାଇନାହିଁ ବୋଲି ସେ କହିଛନ୍ତି । ସେହିପରି ତାଙ୍କୁ ସରକାରଙ୍କ ପକ୍ଷରୁ କୌଣସି ଟ୍ରାଭେଲ ବିଲ୍ ବି ଦିଆଯାଇନାହିଁ । ଶ୍ରଦ୍ଧା ସରକାରୀ ଅର୍ଥରେ ଭାଟିକାନ ସିଟି ଯାଇନଥିଲେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି ।
ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "କାହା ସହିତ କିଏ ଗଲା ତାହା ବ୍ୟକ୍ତିଗତ କଥା । ମୁଖ୍ୟମନ୍ତ୍ରୀଙ୍କୁ ବୟସ ହେଲାଣି । ତାଙ୍କୁ ଥେରାପି ଦେବାକୁ ଥେରାପିଷ୍ଟ ଯାଇଥିଲେ । ତାଙ୍କୁ ଆକ୍ଷେପ କରି ଆଲୋଚନାକୁ ନିଆଗଲା । ବ୍ୟକ୍ତିଗତ ଭାବେ କହିବାକୁ ଗଲେ ଏ କଥା ସୁନ୍ଦର ନୁହେଁ । ତା ଉପରେ ମୁଖ୍ୟମନ୍ତ୍ରୀ ଜବାବ ଦେବାର ନଥିଲା । ଲୋକ ସମସ୍ୟା ଉପରେ ଦେଇଥିଲେ ଭଲ ହୋଇଥାଆନ୍ତା । ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ମୁଖ୍ୟମନ୍ତ୍ରୀ କହିଥିଲେ ଖୁସି ହୋଇଥାଆନ୍ତୁ । ସେହିପରି ଶାସକ ଦଳର ମୁଖ୍ୟ ସଚେତକ କହିଛନ୍ତି ଯେ, ସତ୍ୟ ସବୁବେଳେ ସତ୍ୟ । ମୁଖ୍ୟମନ୍ତ୍ରୀ ଆଜି ସେ ସତକୁ ଗୃହରେ ଉପସ୍ଥାପନ କରିଛନ୍ତି । ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିବାର ଆବଶ୍ୟକତା ରହିଥିଲା । ଏଥିରେ ସାମାନ୍ୟତମ ଦ୍ବିଧା ନାହିଁ । ମୁଖ୍ୟମନ୍ତ୍ରୀ ତାହା ଗୃହରେ କହିଛନ୍ତି ।"