ଅଲଗା ହେଲା ଜଗା-ବଳିଆଙ୍କ ଯୋଡାମୁଣ୍ଡ,  ଏବେ ଆସିୟୁରେ ୭୨ ଘଂଟା ଅବଜରଭେସନରେ ରହିବେ

ଅଲଗା ହେଲା ଜଗା-ବଳିଆଙ୍କ ଯୋଡାମୁଣ୍ଡ, ଏବେ ଆସିୟୁରେ ୭୨ ଘଂଟା ଅବଜରଭେସନରେ ରହିବେ

ଗତ କିଛିଦିନ ଧରି ଚର୍ଚ୍ଚାରେ ଅଛି କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ବିରଳ ଚିକିତ୍ସା । ଦିଲ୍ଲୀ ଏମ୍ସରେ ଅଲଗା ହୋଇଛି ଜଗା-ବଳିଆଙ୍କ ଯୋଡାମୁଣ୍ଡ ।  ବୁଧବାର ସକାଳ ପ୍ରାୟ ୯ଟାରେ ଆରମ୍ଭ ହୋଇଥିଲା ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର । ଦୀର୍ଘ ୧୧ ଘଂଟା ପରେ ରାତି ପ୍ରାୟ ୮ ଟାରେ ଜଗା-ବଳିଆଙ୍କ ଯୋଡାମୁଣ୍ଡକୁ ଅଲଗା କରିଛନ୍ତି ଡାକ୍ତର । ବର୍ତମାନ ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଦୁଇ ଶିଶୁଙ୍କର ମୁଣ୍ଡ ଅଲଗା ହେବା ପରେ ପ୍ଲାଷ୍ଟିକ୍‌ ସର୍ଜରୀ ଶେଷ ହୋଇଛି । ବର୍ତମାନ ସେମାନଙ୍କୁ ଆସିୟୁରେ ୭୨ ଘଂଟା ଅବଜେରଭେସନରେ ରଖାଯାଇଥିବା ସୂଚନା ମିଳିଛି ।

ଦିଲ୍ଲୀ ଏମ୍ସ ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ପ୍ରାୟ ୨୦ ଜଣିଆ ଅଭିଜ୍ଞ ଡାକ୍ତରୀ ଟିମ୍ ଶିଶୁଙ୍କ ଅପରେସନ୍ କରିଛନ୍ତି । ଏହା ଚିକିତ୍ସା ବିଜ୍ଞାନରେ ଏକ ବିରଳ ସଫଳତା ।

ଗତକାଲି ସକାଳ ୬ଟାରେ ସେମାନଙ୍କୁ ଅସ୍ତ୍ରୋପଚାର ଗୃହକୁ ନିଆଯାଇ ସକାଳ ୯ଟାରୁ ଆରମ୍ଭ ହୋଇଥିଲା ଅସ୍ତ୍ରୋପଚାର । ଉଭୟଙ୍କର ଅବସ୍ଥା ବର୍ତ୍ତମାନ ଯାଏଁ ସ୍ଥିର ରହିଛି । ଏହା ପୂର୍ବରୁ ଅଗଷ୍ଟ ୨୮ ରେ ଜଗା ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ୍ ହୋଇଥିଲା । ଦୁଇ ଭାଇଙ୍କୁ ଏକ ୪୦ ଜଣିଆ ଡାକ୍ତରୀ ଦଳ ପ୍ରାୟ ୨୦ ଘଂଟା ଧରି ଅପରେସନ କରିଥିଲେ । ଆଉ ଏହି ପର୍ଯ୍ୟାୟରେ କୃତ୍ରିମ ଶିରାପ୍ରସିରାର ଢାଂଚା ତିଆରି କରି ବଳିଆ ଦେହରେ ରୋପଣ କରାଯାଇଥିଲା । ଏହାପରେ ଦୁଇ ଜଣଙ୍କ ମସ୍ତିଷ୍କକୁ ଅଲଗା କରିବାର ସବୁଠାରୁ ଜଟିଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଅପରେସନ୍‌ରେ ନିୟୋଜିତ ଡାକ୍ତରୀ ଟିମ୍‌କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଦୁଇ ଶିଶୁଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।

ଜଗା-ବଳିଆଙ୍କର ଆରୋଗ୍ୟ କାମନା କରିଛନ୍ତି ପୁରା ଓଡିଶାବାସୀ ।  ରାଜ୍ୟବାସୀ ବହୁ ସ୍ଥାନରେ ପୂଜାର୍ଚ୍ଚନା କରୁଥିବାବେଳେ ଜଗା-ବଳିଆଙ୍କ ଗାଁ ବାଲିଗୁଡାରେ ସ୍ଥାନୀୟ ଲୋକମାନେ ମଧ୍ୟ ଜଗନ୍ନାଥ ମନ୍ଦିରରେ ପୂଜା କରିଛନ୍ତି ।

ଅଲଗା ହେଲା ଜଗା-ବଳିଆଙ୍କ ଯୋଡାମୁଣ୍ଡ,  ଏବେ ଆସିୟୁରେ ୭୨ ଘଂଟା ଅବଜରଭେସନରେ ରହିବେ