News

ରୋଗୀଙ୍କ ମୃତ୍ୟୁ ପରେ ଭୟଭୀତ ହୋଇ ନିଜର ତଣ୍ଟି କାଟିଲେ ଡାକ୍ତର

By Krishna Kumar Manoj

August 29, 2018

ନିଜର ଭୁଲ ଚିକତ୍ସାକୁ ହୃଦୟଙ୍ଗମ କରି ଜଣେ ଡାକ୍ତର ନିଜକୁ ଦଣ୍ଡ ଦେବା ଘଟଣା ପ୍ରଥମଥର ପାଇଁ ଘଟିଛି । ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ବାନ୍ଦୁଟିକ୍ରା ଅଞ୍ଚଳରେ। ଡାକ୍ତରଙ୍କ ନାମ ସୁବୋଧ ସାହୁ ହୋଇଥିବା ବେଳେ ସେ ଜଣେ ଦନ୍ତ ଚିକିତ୍ସକ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ଡାକ୍ତର ସାହୁଙ୍କୁ ବରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ପ୍ରବଳ ରକ୍ତସ୍ରାବ ଯୋଗୁଁ ଅବସ୍ଥା ସଙ୍କଟାପନ୍ନ ହେବାପରେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ,ଦର ଥାନା ଅନ୍ତର୍ଗତ ବନବାସପାଲି ଗ୍ରାମର ସାହେବ ସାହୁଙ୍କ ପତ୍ନୀ ଲବଙ୍ଗ ସାହୁ(୩୫)ର ଦାନ୍ତ ଯନ୍ତ୍ରଣା ହେଉଥିଲା । ସେ ଡାକ୍ତର ସୁବୋଧ ସାହୁ କ୍ଲିନିକ୍‌ରେ ଚିକିତ୍ସିତ ହେଉଥିଲେ । ଡାକ୍ତର ଲବଙ୍ଗଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲା । ପରେ ମହିଳା ଜଣକ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଡାକ୍ତରଙ୍କ ଭୁଲ ଇଞ୍ଜେକସନ୍‌ ଯୋଗୁଁ ଲବଙ୍ଗଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ତାଙ୍କ ପରିବାର ବର୍ଗ ଓ କିଛି ଗ୍ରାମବାସୀ କ୍ଲିନିକକୁ ଯାଇଥିବା ବେଳେ ଡାକ୍ତର ସୁବୋଧ ହଠାତ ଏକ ଧାରୁଆ ଛୁରୀରେ ନିଜ ଗଳାକୁ କାଟି ଦେଇଛନ୍ତି । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବରଗଡ଼ ମୁଖ୍ୟ ଡାକ୍ତରଖାନା ଓ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପକ୍ଷରେ ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଲାଗି ରହିଛି । ମହିଳାଙ୍କ ଶବ ବରଗଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାରବର୍ଗ ଙ୍କୁ ହସ୍ତାନ୍ତର କରାଯିବ ବୋଲି ଟାଉନ ଥାନା ଆଇଆଇସି ବିଭୂତି ଭୋଇ କହିଛନ୍ତି।

ପଢନ୍ତୁ; ଭାରତ-କେନିଆ ସଂଯୁକ୍ତ ବାଣିଜ୍ୟ ସମିତି ବୈଠକ ନାଇରୋବିରେ ଅନୁଷ୍ଠିତ