ହାଇସ୍କୁଲ ଶିକ୍ଷା ପରେ ପାଠ ଛାଡ଼ୁଥିବା ପିଲାମାନଙ୍କୁ ଯୋଡ଼ି ରଖିବା ଲାଗି ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି। ପିଲାମାନେ ଯେପରି ଉଚ୍ଚଶିକ୍ଷା ପାଇପାରିବେ, ସେଥିପାଇଁ ରାଜ୍ୟର ୧୦୬ଟି ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)କୁ ଅପଗ୍ରେଡ୍ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଉକ୍ତ ୧୦୬ଟି ବିଦ୍ୟାଳୟରେ କଳା ଓ ବିଜ୍ଞାନ ବିଭାଗରେ ପାଠ୍ୟକ୍ରମ ଖୋଲାଯିବା ସହ ପିଲାଙ୍କ ନାମଲେଖା କରାଯିବ। କେଉଁ ବିଦ୍ୟାଳୟରେ କେତେ ସିଟ୍ ରହିବ, ତାହା ମଧ୍ୟ ସ୍ଥିର ହୋଇଛି। ତେବେ ଗୋଟିଏ କ୍ୟାମ୍ପସରେ ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କ୍ଲାସରୁମ୍ ଶିକ୍ଷା ପ୍ରଦାନ କରିବା କଷ୍ଟକର ହେବ। କାରଣ ଅଧିକାଂଶ କ୍ୟାମ୍ପସରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ତେଣୁ ପାଳି କରି ପାଠପଢ଼ା କରାଇବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଯେପରି ସୁରୁଖୁରୁରେ ସମସ୍ତ ଶ୍ରେଣୀର କ୍ଲାସରୁମ୍ ଶିକ୍ଷା ଚାଲିବ, ସେଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠା ନିର୍ଦ୍ଦେଶାବଳୀ(ଗାଇଡ୍ଲାଇନ୍) ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ଅନୁମୋଦନ ଲାଗି ପଠାଯାଇଛି