ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ କରୋନା ଟିକାକରଣ ସାର୍ଟିଫିକେଟ୍ରୁ ହଟିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ୫ ରାଜ୍ୟ- ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ଏହି କଟକଣା ଲାଗିବ। ଏହି ୫ ରାଜ୍ୟରେ ଟିକାକରଣ ସାର୍ଟିଫିକେଟ୍ରେ ରହିବନି ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ। ନିର୍ବାଚନ ସରିବା ଯାଏ କୋୱିନ୍ରୁ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଦେଖିବାକୁ ମିଳିବନି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ପଶ୍ଚିମବଙ୍ଗ ଓ ଅନ୍ୟ ଉପ ନିର୍ବାଚନ ବେଳେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ।
ସୂଚନାଥାଉ କି, ଟିକାକରଣ ସାର୍ଟିଫିକେଟ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଇବା ପାଇଁ କେରଳ ହାଇକୋର୍ଟରେ ଆବେଦନ ହୋଇଥିଲା। ଗତବର୍ଷ ଡିସେମ୍ବରରେ କେରଳ ହାଇକୋର୍ଟ ଆବେଦନକୁ ଖାରଜ କରି ଦେଇଥିଲେ। ଆବେଦନର ଶୁଣାଣି କରି କେରଳ ହାଇକୋର୍ଟ ଜଜ୍ କହିଥିଲେ, ‘ସେ(ମୋଦି) ଆମ ପ୍ରଧାନମନ୍ତ୍ରୀ, ନା କି ଅନ୍ୟ ଦେଶର ପ୍ରଧାନମନ୍ତ୍ରୀ।’