ରାଜ୍ୟରେ ଏବେ ପ୍ରବଳ ଖରା ଯୋଗୁଁ ଲୋକ ଅସ୍ତବ୍ୟସ୍ତ ହୋଇଗଲେଣି। ଏପ୍ରିଲ ଖରା ଅସହ୍ୟ ହେଉଥିବା ବେଳେ ମେ’ରେ ସ୍ଥିତି ଅଣାୟତ୍ତ ହୋଇପାରେ। ଏତିକିବେଳେ ମେ’ ମାସରେ ବାତ୍ୟା ଭୟ ଘାରିଛି। ଗତ ତିନି ବର୍ଷ ହେଲା ମେ’ ମାସରେ ଓଡ଼ିଶାରେ ବାତ୍ୟା ମାଡ଼ ହେଉଥିବାରୁ ଏଥର ମେ’ ମାସରେ ବାତ୍ୟା ହେବନି ତ? ଯଦି ବାତ୍ୟା ହୁଏ କେମିତି ତା’ର ମୁକାବିଲା କରାଯିବ ସେ ଚିନ୍ତା ଏବେ ସରକାରଙ୍କୁ ଘାରିଲାଣି।
୩ ମେ’ ୨୦୧୯ରେ ଫନି, ୨୦ ମେ’ ୨୦୨୦ରେ ଅମ୍ଫାନ, ୨୬ ମେ’ ୨୦୨୧ରେ ୟାସ୍ ବାତ୍ୟା ଓଡ଼ିଶାରେ ପ୍ରଳୟ ରଚିଛି। ସାଧାରଣତଃ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଓଡ଼ିଶାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ଗତ ତିନି ବର୍ଷ ହେଲେ ଖରାଦିନିଆ ବାତ୍ୟା ଲୋକଙ୍କ ମନରେ ଭୟ ସୃଷ୍ଟି କରିଦେଇଛି। ଏପରିକି ବିଗତ ବର୍ଷଗୁଡ଼ିକରେ ଖରାଦିନିଆ ବାତ୍ୟା ପାଇଁ ପୂର୍ବ ପ୍ରସ୍ତୁତି ଠିକ୍ ଭାବେ ହୋଇପାରୁନଥିବାରୁ ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟା ମୁକାବିଲାରେ କିଛି ସମସ୍ୟା ଦେଖାଦେଇଥିଲା। ତେଣୁ ମେ’ ପୂର୍ବରୁ ରାଜ୍ୟ ସରକାର ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାସହ ୨୦୨୨ ବର୍ଷ ପାଇଁ ସବୁ ବିଭାଗ ଏପ୍ରିଲ ୩୦ ସୁଦ୍ଧା ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରି ଦେବାକୁ ସ୍ବତନ୍ତ୍ର ରିଲିଫ କମିସନର ତଥା ଉନ୍ନୟନ କମିସନର ପି.କେ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଭିତ୍ତି କରି ମେ ୧୫ ସୁଦ୍ଧା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ହେବ। ବାତ୍ୟା ହେଲେ ଯେପରି ମୋବାଇଲ୍, ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହେବନି ସେନେଇ ସରଞ୍ଜାମ ଲଗାଇବା, ଷ୍ଟାଣ୍ଡବାଇ ମୋବାଇଲ ଟାୱାର, ସେଲ୍ ଅନ୍ ହୁଇଲ୍, ତୁରନ୍ତ ମରାମତି କରିବା ପାଇଁ ସରଞ୍ଜାମ ରଖିବା, ବିଦ୍ୟୁତ ସଂଯୋଗ କଟିଲେ ଜରୁରୀ ବ୍ୟବସ୍ଥା ପାଇଁ ଟେଲିକମ୍ ସଂସ୍ଥାଗୁଡ଼ିକ ଡିଜି ସେଟ୍ ସହ ଆବଶ୍ୟକ ତେଲ ସଂରକ୍ଷିତ ରଖିବା ନେଇ ସମସ୍ତ ବ୍ୟବସ୍ଥା କରିବାକୁ ଟେଲିକମ୍ ନିର୍ଦ୍ଦେଶକଙ୍କୁ କୁହାଯାଇଛି।