ମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଝାରସୁଗୁଡ଼ାରେ ସମ୍ପନ୍ନ ହେବ। ଏଥି ପାଇଁ ସରକାରୀ ଭାବେ ସମସ୍ତ ବ୍ୟବସ୍ଥା କରାଯାଇଛି। ସ୍ବର୍ଗତ ଦାସଙ୍କୁ ସମ୍ମାନ ଜଣାଇ ରାଜ୍ୟ ସରକାର ତିନି ଦିନ ଶୋକ ପାଳନ କରିବେ। ଆଜି ଠାରୁ ୩୧ ତାରିଖ ଯାଏ ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଛି। ଭୁବନେଶ୍ବରରେ ତାଙ୍କର ମୃତ୍ୟୁ ହୋଇଥିବାରୁ ରବିବାର ରାତିରେ ଭୁବନେଶ୍ବରରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି। ଆଜି ଶେଷକୃତ୍ୟ ହେବାକୁ ଥିବା ଝାରସୁଗୁଡ଼ା ଜିଲ୍ଲାରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବ। ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ମନ୍ତ୍ରୀ ଉପସ୍ଥିତ ରହିବେ। ସେମାନେ ହେଲେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଟୁକୁନି ସାହୁ। ଝାରସୁଗୁଡ଼ାରେ ଗାର୍ଡ ଅଫ୍ ଅନର୍ ଦେବାକୁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଗୃହ ବିଭାଗ ପକ୍ଷରୁ ଜିଲ୍ଲା ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଆପୋଲୋ ହସ୍ପିଟାଲ୍ରେ ପରଲୋକ ହେଲା ପରେ ଶ୍ରୀ ଦାସଙ୍କ ମରଶରୀରର ପୋଷ୍ଟମର୍ଟମ୍ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ଅଣାଯାଇଥିଲା। ସେଠାରେ କ୍ରାଇମ୍ବ୍ରାଞ୍ଚ୍ର ଏକ ଟିମ୍ ପହଞ୍ଚି ଆବଶ୍ୟକ ତଦନ୍ତ କରିଥିଲା। ଏହା ପରେ ମରଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ବାଚସ୍ପତିଙ୍କ ସମେତ ବହୁ ବିଧାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିଳମ୍ବିତ ରାତିରେ ମରଶରୀରକୁ ତାଙ୍କ ସରକାରୀ ବାସଭବନରେ ରଖାଯାଇଥିଲା। ସେଠାରେ ରାତିତମାମ ବହୁ ଶୁଭେଚ୍ଛୁ, ସମର୍ଥକ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସୋମବାର ସକାଳୁ ସ୍ବର୍ଗତ ଦାସଙ୍କ ପାର୍ଥିବ ଶରୀରକୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ତାଙ୍କ କର୍ମଭୂମି ଝାରସୁଗୁଡ଼ାକୁ ନିଆଯିବ।