: ଆସନ୍ତା ନଭେମ୍ବର ୮ ତାରିଖରେ ପଡ଼ୁଛି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ର ଗ୍ରହଣ। ଏହି ଦିନ ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ ଏହି ଦିନ ସକାଳ ୮ଟା ୨୯ରୁ ପାକ ନିଷେଧ ହେବ। କିନ୍ତୁ ଜ୍ୟୋତିର୍ବିଦଙ୍କ ମତରେ ଚନ୍ଦ୍ର ଗ୍ରହଣ ଦିନ ସକାଳ ୫ଟା ୫୪ ମିନିଟ୍ ପରଠୁ ହିଁ ପାକ ନିଷେଧ ସହିତ ସବୁ ଦେବ ନୀତି ବନ୍ଦ ହେବା ଉଚିତ। ଏହି ଦ୍ୱନ୍ଦ୍ୱ ଦୂର ପାଇଁ ନଭେମ୍ବର ୧ କିମ୍ବା ୨ରେ ନୀତି ସବ୍ କମିଟି ଓ ଛତିଶା ନିଯୋଗର ବୈଠକ ବସିବ ବୋଲି ସୂଚନା ମିଳିଛି।ସଂଶୋଧିତ ପଞ୍ଜିକା ଅନୁଯାୟୀ, ଅପରାହ୍ନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଚନ୍ଦ୍ର ଗ୍ରହଣ ସ୍ପର୍ଶ କରୁଥିବା ବେଳେ ସର୍ବମୋକ୍ଷ ହେବ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ। ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ହୋଇ ମଙ୍ଗଳଆଳତି, ମଇଲମ, ତପଡ଼ଲାଗି, ଅବକାଶ ଆଦି ସମସ୍ତ ନୀତିକାନ୍ତି କରାଯାଇ ଭୋର୍ ୫ଟାରେ ଉଠିବ ଭୋଗ ମଣ୍ଡପ। କାରଣ ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ସକାଳ ୮ଟା ୨୯ରୁ ଅନ୍ନଭୋଜନ, ପାକ, ଦେବ ନୀତି ନିଷେଧ।
କିନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡଃ ନରେଶ ଚନ୍ଦ୍ର ଦାଶଙ୍କ ମତରେ ଅପରାହ୍ଣ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଥିବାରୁ ଏହାର ୯ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୫ଟା ୫୪ ମିନିଟ୍ ୫୩ ସେକେଣ୍ଡରୁ ଅନ୍ନଭୋଜନ, ପାକ କର୍ମ ଓ ଦେବନୀତି ନିଷେଧ। ସଂଶୋଧିତ ପାଞ୍ଜିରେ ଏହା ଲେଖା ଅଛି। ପ୍ରଥମେ ଏଠାରେ ପ୍ରିଣ୍ଟିଂ ଭୁଲ୍ ଥିଲା। ପରେ ତାକୁ ସଂଶୋଧନ କରାଯାଇଛି। ଏହି ସଂଶୋଧିତ ଅଂଶ ବୋଧହୁଏ ଶ୍ରୀମନ୍ଦିର ପ୍ରଶାସନର ନଜରରେ ଆସିନଥିବାରୁ ଏହି ଦ୍ୱନ୍ଦ୍ୱ ଉପୁଜି ଥାଇପାରେ।