ଋଷର ୟୁକ୍ରେନ ଉପରେ ଆକ୍ରମଣର ଆଶଙ୍କା ମଧ୍ୟରେ ସେଠାରେ ଥିବା ଭାରତୀୟ ଦୂତାବାସ ଭାରତୀୟଙ୍କୁ, ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛି। ବିଶେଷତଃ ଯେଉଁମାନଙ୍କର ରହିବା ଜରୁରୀ ନୁହେଁ, ସେମାନେ ଭାରତକୁ ଫେରିଯାଆନ୍ତୁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ଯଦି କେହି ୟୁକ୍ରେନରେ ରହିଯାଉଛନ୍ତି ତେବେ ସେମାନଙ୍କୁ ଦୂତାବାସ ସହିତ ଯୋଗାଯୋଗରେ କରିବାକୁ ମଧ୍ୟ କୁହାଯାଇଛି। ଜରୁରୀ ନଥିଲେ ଭାରତୀୟମାନେ ୟୁକ୍ରେନକୁ ନଆସିବାକୁ ଏବଂ ୟୁକ୍ରେନ ମଧ୍ୟରେ ଯାତ୍ରା କରିବାକୁ ଭାରତୀୟ ଦୂତାବାସ ବାରଣ କରିଛି।କୌଣସି ମୂହୁର୍ତ୍ତରେ ଋଷ ଆକ୍ରମଣ କରିବାର ଆଶଙ୍କା ଥିବାରୁ ରହୁଥିବା ଠିକଣା ଦେବା ପାଇଁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛି ଦୂତାବାସ। ଏଭଳି ହେଲେ ଦରକାର ସମୟରେ ଦୂତାବାସ ଠିକଣାରେ ପହଞ୍ଚି ଭାରତୀୟଙ୍କୁ ସାହାଯ୍ୟ କରିପାରିବ।
ରିପୋର୍ଟ ଅନୁଯାୟୀ, ଋଷ ୟୁକ୍ରେନକୁ ତିନି ପାର୍ଶ୍ୱରୁ ଘେରି ରହିଛି। ଫେବ୍ରୁଆରି ୧୬ରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିପାରେ ବୋଲି ଆମେରିକା ଚେତାଇ ଦେବା ପରେ ଆଜି ଏଭଳି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆକ୍ରମଣ ପାଇଁ ୧.୩୦ଲକ୍ଷ ସୈନ୍ୟ ଓ ମିସାଇଲ ସହ ୟୁକ୍ରେନକୁ ଋଷ ଘେରି ରହିଥିବା ଜଣାପଡ଼ିଛି। ତେବେ କୌଣସି ମୂହୁର୍ତ୍ତରେ ଆକ୍ରମଣ ହେବା ନେଇ ଆଶଙ୍କା ଥିବାରୁ ଏବେ ଭାରତୀୟଙ୍କୁ ଦେଶ ଛାଡ଼ିବାକୁ କୁହାଯାଇଛି।