ଜିଲ୍ଲାର ପ୍ରସିଦ୍ଧ ଠାକୁରାଣୀ ମା’ ମାଣିକେଶ୍ବରୀ । ଆଜି(ବୁଧବାର) ମା’ଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଛି । ମୂଳାଷ୍ଟମୀ ତିଥିରେ ମୁଣ୍ଡବସାଠାରୁ ଆରମ୍ଭ ହୋଇଥିବା ମାଣିକେଶ୍ବରୀଙ୍କ ଦଶହରା ଯାତ ବା ଛତର ଯାତ ବିଜୟା ଦଶମୀ ତିଥିରେ ଶେଷ ହେବ । ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ସମଗ୍ର କଳାହାଣ୍ଡି ।ମଙ୍ଗଳବାର ମା’ ମାଣିକେଶ୍ବରୀଙ୍କ ପୀଠରେ ମହାଷ୍ଟମୀ ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପର୍ଣ୍ଣ ହୋଇଥିଲା । ଏହପରେ ଆଜି ସକାଳୁ ବାଜା ବାଦ୍ୟରେ ଗୁଞ୍ଜରିତ ହୋଇଥିଲା ପୀଠ । ଗଡଜାତର ଐତିହାସିକ ବଳିଯାତ୍ରାରେ ଲୋକବାଦ୍ୟ ଓ ଲୋକ ସଂଗୀତ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରି ଆସିଛି । ଭିନ୍ନ ଭିନ୍ନ ପ୍ରକାରର ଯନ୍ତ୍ର ଓ ରହସ୍ୟମୟ ମନ୍ତ୍ରର ପ୍ରୟୋଗରେ ବଳିଯାତ୍ରା ପାଳନ କରାଯାଏ । ଆଉ ଏହି ପର୍ବରେ ଷୋହଳଭର୍ଣ୍ଣି ଢୋଲ ବାଦ୍ୟ ସାଙ୍ଗକୁ ମାଳେଶ୍ରୀ ଗୀତର ବ୍ୟବହାର ହୋଇଥାଏ ।
ଗତକାଲି ରାତି ୮ଟାରୁ ଆଜି ଅପରାହ୍ନ ୪ଟା ଯାଏ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯାଇଛି। ଏହାସହ ଭବାନୀପାଟଣାର ସବୁ ପ୍ରବେଶ ପଥକୁ ସିଲ୍ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ରାଜଉଆସରେ ଥିବା ମାଣିକେଶ୍ୱରୀଙ୍କ ପୀଠରେ ମଧ୍ୟ ରାତ୍ରିରେ ମା’ଙ୍କ ପୂଜା ହୋଇଛି ଓ ତାଙ୍କ ଛତର୍କୁ ଜେନାଖାଲକୁ ନିଆଯାଇଛି। ସେଠାରେ ମଧ୍ୟ ଗୁପ୍ତ ପୂଜା ହୋଇଛି। ଏହାପରେ ମା’ଙ୍କ ବିଜୟ ପ୍ରତିମା ଛତର୍ ଜେନାଖାଲରୁ ମନ୍ଦିରକୁ ଆସିବେ। ଏଥର କିନ୍ତୁ ଏହାର ଶୋଭାଯାତ୍ରାରେ ସାଧାରଣ ଭକ୍ତ ସାମିଲ ହେବେ ନାହିଁ। ଛତର୍ ଯାତ୍ରା ସମୟରେ ଭକ୍ତମାନେ ବଳି ମଧ୍ୟ ଦେଇଥାନ୍ତି। ତେବେ ଏହାକୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ଲୋକଙ୍କୁ ସଚେତନ କରିବା ସହିତ ନିବେଦନ ମଧ୍ୟ କରିଛି।