ବୁର୍ଲାରେ ଇଂଜିନିୟରିଂ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କ ହତ୍ୟା ଅଭିଯୋଗ ।ଚିନ୍ମୟୀଙ୍କ ବେକରେ ଥିବା ଦାଗ ଓ ଶେଷ ହ୍ବାଟ୍ସ୍ଆପ ଚାଟ୍ କୁ ଦେଖି ଚିନ୍ମଯୀଙ୍କୁ ହତ୍ୟା ହୋଇଥିବା ନେଇ ସନ୍ଦେହ ଦୃଢୀଭୂତ ହେବାରେ ଲାଗିଛି। ଚିନ୍ମୟୀଙ୍କ ଶେଷ ହ୍ବାଟ୍ସ୍ଆପ ଚାଟ୍ ତାଙ୍କ ମାଙ୍କ ପାଖକୁଥିଲା। ଉକ୍ତ ମେସେଜରେ ଚିନ୍ମୟୀ ରାତି ୯ଟାରେ ଶୁଭଶ୍ରୀ ବସ୍ରେ ଚିନ୍ମୟୀ ଟିକେଟ୍ କାଟିଥିବା ମାଆଙ୍କୁ ହ୍ବାଟ୍ସ ଆପ୍ରେ ଜଣାଇଥିଲେ। ସେଦିନ ସନ୍ଧ୍ୟ ୫ଟାରୁ ୭ଟା ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ମାଆଙ୍କ ସହ ଚାଟ୍ କରିଥିଲେ ଚିନ୍ମୟୀ। କିନ୍ତୁ ୭ଟା ପରେ ମାଆଙ୍କ ମେସେଜ୍ର କୌଣସି ଉତ୍ତର ଦେଇ ନ ଥିଲେ । ଯାହାକୁ ନେଇ ବ୍ୟସ୍ତ ହୋଇପଡ଼ିଥିଲେ ଚିନ୍ମୟୀଙ୍କ ମାଆ। ଏମିତି କି ପାସ୍ ଆଉଟ୍ ସେରିମନିକୁ ଚିନ୍ମୟୀ ସେଦିନ ଡେରିରେ ଯାଇଥିଲେ ଆଉ ଅଳ୍ପ କିଛି ସାଙ୍ଗଙ୍କ ସହ ଫଟୋ ଉଠାଇଥିବା ମାଆ ଜାଣିବାକୁ ପାଇଥିଲେ। ଚିନ୍ମୟୀଙ୍କ ବେକରେ ଥିବା ଦାଗକୁ ନେଇ ମାମଲା ଅଧିକ ରହସ୍ୟମୟ ହୋଇଛି। ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିବା ବେଳେ ଚିନ୍ମୟୀ ଆତ୍ମହତ୍ୟା କରିଥିବା ଘଟଣାକୁ ଗ୍ରହଣ କରୁନାହାନ୍ତି ପରିବାର ଲୋକେ।ମୃତ୍ୟୁ ଘଟଣାରେ ଅଟକ ଥିବା ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ହେବ ଲାଇଡିଟେକସନ୍ ଟେଷ୍ଟ। ଏଥିସହିତ ମାନସ ଟୁଡୁଙ୍କର ମଧ୍ୟ ଲାଇଡିଟେକସନ୍ ଟେଷ୍ଟ କରାଯିବ। ଭୁବନେଶ୍ୱର ଫୋରେନ୍ସିକ ଲ୍ୟାବରେ ଆଜି ଏହି ଟେଷ୍ଟ ହେବ। ସମ୍ବଲପୁର ପୁଲିସର ଏକ ଟିମ୍ ୨ ଜଣଙ୍କୁ ଭୁବନେଶ୍ୱର ଆଣିଛି।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଭିସୁଟ୍ର ସମାବର୍ତ୍ତନ ଉତ୍ସବରେ ଚିନ୍ମୟୀ ନିଜ ସ୍ନାତକ ଡିଗ୍ରି ପ୍ରମାଣପତ୍ର ନେବା ପାଇଁ ଆସିଥିଲେ। ଉତ୍ସବ ପରେ ସେ ନିଜ ସହପାଠୀ ପ୍ରୀତିମାନ ଦେଙ୍କ ସହ ପାୱାର ଚ୍ୟାନେଲ ପାଖକୁ ବୁଲିବାକୁ ଆସିଥିଲେ। ସେଠାରେ କଥାବାର୍ତ୍ତା ହେଉଥିବା ବେଳେ ଚିନ୍ମୟୀ ପାୱାର ଚାନେଲକୁ ଡେଇଁପଡ଼ିଥିଲେ। ପାରିବାରିକ କଳହ ଯୋଗୁ ବିଷାଦରେ ଥିବା ଚିନ୍ମୟୀ ମାନସିକ ଭାରସାମ୍ୟ ହରାଇ ଏଭଳି ପଦକ୍ଷେପ ନେଇଥିବା ପ୍ରୀତିମାନ ପୁଲିସକୁ କହିଥିଲେ।