ବିଶ୍ଵର ସର୍ବ କାଳୀନ ଶ୍ରେଷ୍ଠ ଟେନିସ ଖେଳାଳି ସ୍ଵିଜରଲାଣ୍ଡର ରୋଜର ଫେଡେରର ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଗ୍ରାଣ୍ଡସ୍ଲାମରୁ ବିଦାୟ ନେଇଛନ୍ତି। ଷଷ୍ଠ ମାନ୍ୟତା ମାରିନ୍ ସିଲିକ୍ଙ୍କ ସହ ମହିଳା ଏକକରେ ଦ୍ବିତୀୟ ମାନ୍ୟତା ଆଞ୍ଜେଲିକ୍ କର୍ବର ଏବଂ ୫ ଗ୍ରାଣ୍ଡ୍ ସ୍ଲାମ୍ ବିଜୟିନୀ ମାରିଆ ସାରାପୋଭା ପ୍ରି-କ୍ବାର୍ଟର୍ ଫାଇନାଲ୍ରୁ ମଧ୍ୟ ବିଦାୟ ନେଇଛନ୍ତି। ତେବେ ପୁରୁଷ ଏକକରେ ଦ୍ବିତୀୟ ମାନ୍ୟତା ରାଫେଲ୍ ନାଦାଲ ଏବଂ ମହିଳାରେ ଅଷ୍ଟମ ମାନ୍ୟତା ପେଟ୍ରା କ୍ବିତୋଭା ସହଜ ବିଜୟ ସହ କ୍ବାର୍ଟର୍ ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ୨୦ ଗ୍ରାଣ୍ଡ୍ ସ୍ଲାମ୍ ବିଜେତା ତଥା ସ୍ବିଜରଲାଣ୍ଡ ତାରକା ଫେଡେରର୍ଙ୍କୁ ୬-୭, ୭-୬, ୭-୫, ୭-୬ ସେଟ୍ରେ ଗ୍ରିସ୍ର ୨୦ ବର୍ଷୀୟ ଯୁବକ ଷ୍ଟିଫାନୋସ ସିସିପାସ୍ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ଫଳରେ ଗତ ଦୁଇ ଥର ବିଜେତା ହୋଇଥିବା ଫେଡେରର୍ ହ୍ୟାଟ୍ରିକ୍ ମୁକୁଟ ହାସଲରୁ ବଞ୍ଚିତ ହୋଇଛନ୍ତି।
ସିଙ୍ଗଲ୍ସରେ ୬ଷ୍ଠ ସିଡ୍ ମାରିନ ସିଲିକ ୭-୬ (୮/୬), ୩-୬, ୨-୬, ୬-୪, ୪-୬ ସେଟ୍ରେ ସ୍ପେନର ରର୍ବଟ ବୌତିସ୍ତାଙ୍କ ନିକଟରୁ ହାରି ଅଭିଯାନ ଶେଷ କରିଛନ୍ତି। ତେବେ ଦ୍ୱିତୀୟ ସିଡ୍ ରାଫାଲ ନାଡାଲ ୬-୦, ୬-୧, ୭-୬ (୭/୪)ରେ ବିଶ୍ୱର ପ୍ରାକ୍ତନ ୪ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ଥୋମାସ ବର୍ଡିଚ୍ଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ବୁଲଗେରିଆର ଗ୍ରିଗୋର ଦିମିତ୍ରୋଭା ୫-୭, ୬-୭ (୬/୮), ୭-୬ (୭/୧), ୫-୭ ସେଟ୍ରେ ଯୁବ ଆମେରିକୀୟ ଖେଳାଳି ଫ୍ରାନସେସ ତିଆଫୋଏଙ୍କ ନିକଟରୁ ହାରିଯାଇଛନ୍ତି।
ପଢନ୍ତୁ; ଗଣ୍ଠିସ୍ଥାନରୁ କଳାଦାଗ ଦୂର କରିବା ପାଇଁ ଚାହାନ୍ତି କି ? ତେବେ ଆପଣାନ୍ତୁ କେତୋଟି ସହଜ ଉପାୟ