ଅଧା ପୋଡିଗଲା ଡିଜେଲ ଭର୍ତ୍ତି ଟ୍ୟାଙ୍କର
ଲିଙ୍କ୍ରୋଡ୍ସ୍ଥିତ ସନ୍ତୋଷ କୁମାର ଆଣ୍ଡ୍ କୋ ପେଟ୍ରୋଲ ପମ୍ପରେ ମଙ୍ଗଳବାର ରାତି ୭ଟାରେ ଅଗ୍ନିକାଣ୍ଡ ଘଟିଛି। ତେଲ ଅନ୍ଲୋଡ୍ ସମୟରେ ଏକ ଟ୍ୟାଙ୍କ୍ରେ ହଠାତ୍ ନିଆଁ ଲାଗିଯାଇଥିଲା। ତେବେ ପେଟ୍ରୋଲପମ୍ପ୍ରେ ଅଗ୍ନିନିର୍ବାପକ ଯନ୍ତ୍ର କାମ ନ କରିବାରୁ ନିଆଁ ଭୟଙ୍କର ରୂପ ନେଇଥିଲା। ଟ୍ୟାଙ୍କରରୁ ଅଣ୍ଡର ଗ୍ରାଉଣ୍ଡରେ ତେଲ ଭରିବା ବେଳେ ନିଆଁଲାଗି ଯାଇଥିଲା । ଟ୍ୟାଙ୍କରର ବ୍ୟାଟେରୀ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
ନିଆଁ ଅନ୍ୟଆଡକୁ ବ୍ୟାପୁଥିବାବେଳେ ଅଗ୍ନିଶମ ବିଭାଗର ୫ଟି ୟୁନିଟ୍ ପହଞ୍ଚତ୍ ମେକାନିକାଲ ଫୋମ୍ ଓ ୱାର୍ଟର ସ୍ପ୍ରେ ଜରିଆରେ ନିଆଁକୁ ଆୟତ୍ତ କରିଥିଲେ। ଟ୍ୟାଙ୍କରଟିରୁ ତେଲ ଅନ୍ଲୋଡ୍ ସରିଯାଇଥିବାରୁ ଟାଙ୍କି ଫାଙ୍କା ଥିଲା। ଫଳରେ ନିଆଁ ଟାଙ୍କିକୁ ଯାଇପାରି ନ ଥିଲା। ନଚେତ୍ ବଡ଼ଧରଣର କ୍ଷୟକ୍ଷତି ଘଟିଥାନ୍ତା।
ଅନ୍ୟପକ୍ଷରେ ଏହି ଦୃଶ୍ୟ ଦେଖିବାକୁ ଘଟଣାସ୍ଥଳରେ ସାଧାରଣ ଲୋକଙ୍କ ଭିଡ ଜମିବାରୁ କଟକ ଡିସିପି, ମଧୁପାଟଣା ଓ ବାଦାମବାଡି ଥାନା ଅଧିକାରୀ ଏବଂ ଟ୍ରାଫିକ ଏସିପି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ତେବେ ଉକ୍ତ ପେଟ୍ରୋଲ ପମ୍ପ୍ର ଫାୟାର ସେଫ୍ଟି ଲାଇସେନ୍ସ ନ ଥିବା ଜଣାପଡିଛି। ବୁଧବାର ଏହାର ମାଲିକଙ୍କୁ ନୋଟିସ ଜାରି କରାଯାଇ ଉତ୍ତର ମଗାଯିବ ବୋଲି ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି।