ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ପୁଲିସ ଅଧିକାରୀ ରବିବାର ଦିନ ଦି’ପହରେ (୧୨ଟା ୨୦ମିନିଟ୍) ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିଛନ୍ତି। ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ କର୍ତ୍ତବ୍ୟରତ ପୁଲିସ ଏଏସ୍ଆଇ ଗୋପାଳ ଦାସ ନିଜ ସର୍ଭିସ ରିଭଲବରରେ ମନ୍ତ୍ରୀଙ୍କୁ ଅତି ନିକଟରୁ ଚାରି ରାଉଣ୍ଡ ଗୁଳି ମାରିଥିଲେ। ସେ ମଧ୍ୟରୁ ଗୋଟିଏ ଗୁଳି ସିଧା ଯାଇ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା। ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଓ ପରେ ବିମାନ ଯୋଗେ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ ହେଁ ବିଳମ୍ବିତ ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପ୍ରଚାର ହେବା ପରଠାରୁ ପୂରା ରାଜ୍ୟ ସ୍ତବ୍ଧ। ଯିଏ ସୁରକ୍ଷା ଦେବା କଥା ତାଙ୍କ ହାତରେ ମନ୍ତ୍ରୀ ମରିବା ଘଟଣା ଓଡ଼ିଶା ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ବିଶେଷକରି ଜଣେ ପୁଲିସ ଅଧିକାରୀ (ବ୍ରଜରାଜନଗର ଥାନା ଗାନ୍ଧୀଛକ ଫାଣ୍ଡିରେ କାମ କରୁଛନ୍ତି ଏଏସ୍ଆଇ ଗୋପାଳ ଦାସ) ମନ୍ତ୍ରୀଙ୍କୁ ଗୁଳି ମାରିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ରାଜ୍ୟ ରାଜନୈତିକ ମହଲରେ ଏହାକୁ ନେଇ କମ୍ପନ ସୃଷ୍ଟି ହୋଇଛି। ପୂରା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଲାଗିବା ସହିତ ବିରୋଧୀ ରାଜନୈତିକ ଦଳ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।