ଆନ୍ଧ୍ର ଓଡ଼ିଶା ସୀମାରେ ବିଧାୟକ ଓ ପୂର୍ବତନ ବିଧାୟକ ନିହତ
ଆନ୍ଧ୍ର ଓଡ଼ିଶା ସୀମାରେ ମାଓବାଦୀ ଘଟାଇଛନ୍ତି ବର୍ବରକାଣ୍ଡ। ଟିଡିପି ବିଧାୟକ କିଦାରି ସର୍ବେଶ୍ବର ରାଓ ଏବଂ ପୂର୍ବତନ ବିଧାୟକ ଶିବେରି ସୋମାଙ୍କୁ ନକ୍ସଲମାନେ ଗୁଳି କରି ହତ୍ୟା କରିଛନ୍ତି । ଡୁମୁଣିଗୁଡ ଥାନା ଅଞ୍ଚଳର ଲିଭିଟିପୁଟରେ ଏକ ଜନସଭାରେ ଯୋଗ ଦେଇ ଫେରୁଥିବା ବେଳେ ସେମାନଙ୍କୁ ଅଟାକାଇଥିଲେ ମାଓବାଦୀ । ସ୍ଥାନୀୟ ଲୋକଙ୍କ ସହ ୨୦ ଜଣ ନକ୍ସଲ ଅସ୍ତ୍ରଶସ୍ତ୍ର ଧରି ସେମାନଙ୍କୁ ଘେରିଯାଇଥିଲେ । ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ପିଏସ୍ଓଙ୍କଠାରୁ ବନ୍ଧୁକ ଛଡ଼ାଇ ନେବା ପରେ ସେମାନଙ୍କୁ ଗୁଳିମାରିଥିଲେ ମାଓବାଦୀ।
ଦୁଇ ରାଜନେତାଙ୍କୁ ହତ୍ୟା କରିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମାଓବାଦୀ ଖସି ପଳାଇଯାଇଥିଲେ । ସେପଟେ ଜନପ୍ରତିନିଧିଙ୍କ ଉପରେ ଏହି ଆକ୍ରମଣକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ବିଭିନ୍ନ ଦଳ ପକ୍ଷରୁ ନିନ୍ଦା କରାଯାଇଛି । ମାଇନିଂ ଲିଜ୍ ଏବଂ ପଥର ବ୍ଲାଷ୍ଟିଂକୁ ନେଇ ଦୁଇ ନେତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ସ୍ଥାନୀୟ ଲୋକେ । ଏହି ହତ୍ୟାକାଣ୍ଡ ପଛରେ ଆନ୍ଧ୍ର-ଓଡ଼ିଶା ବୋର୍ଡର କମିଟି ସେକ୍ରେଟାରୀ ରାମକ୍ରୀଷ୍ଣାର ହାତ ଥିବା ପୋଲିସ ସନ୍ଦେହ କରୁଛି।