News

ଭଙ୍ଗା ହେଲା ଭୁବନେଶ୍ୱର ଇସ୍କନ ସମାଧି ପୀଠ,ଘଟଣାସ୍ଥଳରେ ଉତ୍ତେଜନା

By ENO Beuro

July 28, 2018

ଭଙ୍ଗା ହେଲା ଭୁବନେଶ୍ୱର ଇସ୍କନ ସମାଧି ପୀଠ। ଇସ୍କନ ମନ୍ଦିର ସମ୍ମୁଖରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ଗୁରୁଙ୍କ ସମାଧି ପୀଠ ଉଚ୍ଛେଦକୁ ବିରୋଧ କରି ଭକ୍ତମାନେ ପୁଲିସକୁ ଠେଲାପେଲା କରିଥିଲେ। ଫଳରେ ପୁଲିସ ଘଟଣାସ୍ଥଳରେ ଲାଠି ଚାର୍ଜ ଆରମ୍ଭ କରିଛି। ଏଥିରେ ଜଣେ ଭକ୍ତ ଆହତ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ସକାଳେ ମନ୍ଦିର ଉଚ୍ଛେଦ କରାଯିବା ବେଳେ ଅନୁଗାମୀମାନେ ଏହାକୁ ବିରୋଧ କରିଥିଲେ। ଅନୁଗାମୀମାନେ ଦୀର୍ଘ ସମୟ ଧରି ସମାଧିକୁ ଘେରି ରହିଥିଲେ। ଦୀର୍ଘ ଦେଢ଼ଘଣ୍ଟା ପରେ ବାଧ୍ୟ ହୋଇ ପୋଲିସ ସେମାନଙ୍କୁ ହଟାଇବାକୁ ଉଦ୍ୟମ କରିଥିଲା। ତେବେ ପୂଜକମାନେ ସମାଧିପୀଠରୁ ନ ଉଠିବାରୁ ପୋଲିସ ସେମାନଙ୍କୁ ବଳପୂର୍ବକ ଉଠାଇ ନେଇଥିଲା। ଉତ୍ତ୍ୟକ୍ତ ହୋଇ ଅନୁଗାମୀମାନେ ପୋଲିସକୁ ଇଟା, ପଥର ମାଡ଼ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ମୃଦୁ ଲାଠିଚାଳନା କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

ଉଲ୍ଲେଖଯୋଗ୍ୟ ,୨୬ତାରିଖ ଦିନ ଇସ୍କନକୁ ବିଏମସି ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ଯାତାୟାତ ପାଇଁ ଥିବା ରାସ୍ତାକୁ ଜବରଦଖଲ କରିଥିବାରୁ ଇସ୍କନ୍‌ ମନ୍ଦିର କର୍ତ୍ତୃପକ୍ଷଙ୍କୁ ବିଏମ୍‌ସି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିଲା। ଇସ୍କନ୍‌ କର୍ତ୍ତୃପକ୍ଷଙ୍କ ଉପରେ କାହିଁକି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେନେଇ ତୁରନ୍ତ ଉତ୍ତର ରଖିବାକୁ ମନ୍ଦିରର ସଭାପତିଙ୍କୁ ବିଏମ୍‌ସି ଅତିରିକ୍ତ କମିସନର ଶୁଭମ୍‌ ସାକସେନା କାରଣ ଦର୍ଶାଅ ନୋଟିସ୍‌ କରିଥିଲେ। ବର୍ଷା ଜଳ ନିଷ୍କାସନରେ ଜବରଦଖଲ ଯୋଗୁ ବାଧା ଉପୁଜୁଛି। ତେଣୁ ଓଡ଼ିଶା ମ୍ୟୁନିସିପାଲଟି ଆକ୍ଟ, ୨୦୦୩ର ଧାରା ୪୦୭ ଅନୁଯାୟୀ ଏବଂ ବିଏମ୍‌ସିର ୟୁଜର୍ସ ଚାର୍ଜେସ୍‌ ରେଗୁଲେସନ୍‌, ୨୦୧୫ ଅନୁଯାୟୀ ଏହି କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥଇଲା।

ପଢନ୍ତୁ;ଟିକସ ଫାଙ୍କି ମାମଲା:୨.୨କୋଟି ଡଲାର ଦେଇ ଦଣ୍ଡରୁ ବର୍ତ୍ତିଲେ ରୋନାଲ୍ଡୋ