News

ମହିଳା ସାମ୍ବାଦିକଙ୍କ ଗାଲ ଥାପୁଡ଼ାଇଥିବାରୁ ବିବାଦରେ ତାମିଲନାଡୁ ରାଜ୍ୟପାଳ!

By ENO Beuro

April 18, 2018

 ବିବାଦରେ ରାଜ୍ୟପାଳ ବନବାରୀ ଲାଲ ପୁରୋହିତ

ତାମିଲନାଡୁର ରାଜ୍ୟପାଳ ବନବାରୀ ଲାଲ ପୁରୋହିତ ମଙ୍ଗଳବାର ଏକ ମହିଳା ସାମ୍ବାଦିକଙ୍କ ପ୍ରଶ୍ନ ଉପରେ ତାଙ୍କ ଗାଲ ଥାପୁଡ଼ାଇଥିବାରୁ ମହଙ୍ଗା ପଡିଛି। ଏହି ଭଳି ଏକ ଲଜ୍ୟା ଜନକ କାର୍ଯ୍ୟକରି ସେ ବିବାଦରେ ଫସିଛନ୍ତି। ବିଭିନ୍ନ ରାଜନୈତିକ ବ୍ୟକ୍ତିଙ୍କ ପକ୍ଷରୁ ତାଙ୍କର ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଇଛି। ଏ ନେଇ ପୁରୋହିତ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ରାଜ୍ୟର ଖବରଦାତାମାନେ ଦାବି କରିଛନ୍ତି।

ସେଠାରେ ଉପସ୍ଥିତ ଥିବା ଏକ ସୁପରିଚିତ ସାପ୍ତହିକୀର ବରିଷ୍ଠ ସାମ୍ବାଦିକା ଲକ୍ଷ୍ମୀ ସୁବ୍ରମଣିୟାନ୍‌ ପୁରୋହିତଙ୍କୁ ପ୍ରଶ୍ନ ପଚାରିବା ବେଳେ ସେ ଉତ୍ତର ନ ଦେଇ ବିନା ଅନୁମତିରେ ତାଙ୍କ ଗାଲ ଥାପୁଡ଼ାଇ ଦେଇଥିଲେ। ପରେ ଲକ୍ଷ୍ମୀ ଟୁଇଟର୍‌ ଜରିଆରେ ନିଜ କ୍ରୋଧ ପ୍ରକାଶ କରିଥିଲେ। ରାଜ୍ୟପାଳଙ୍କ ପାଇଁ ଉଦ୍ଦିଷ୍ଟ ପତ୍ରରେ ସାମ୍ବାଦିକ ସଂଘ ତାଙ୍କୁ ସ୍ମରଣ କରାଇ ଦେଇଛନ୍ତି ଯେ ଜଣେ ସାମ୍ବିଧାନିକ ବ୍ୟକ୍ତିତ୍ବ ହୋଇଥିବାରୁ ତାଙ୍କର ଏ ଭଳି ଆଚରଣ ନିଶ୍ଚୟ କ୍ଷୋଭ ଉଦ୍ରେକାରୀ। ସ୍ପର୍ଶ ପିତୃପ୍ରତିମ ହୋଇଥିଲେ ମଧ୍ୟ ବିନାନୁମତିରେ ଜଣେ ମହିଳାଙ୍କୁ ସ୍ପର୍ଶ କରିବା ଦ୍ୱାରା ଗୋଟିଏ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ନିଜର ମୌଳିକ ସୌଜନ୍ୟ ଏବଂ ସମ୍ମାନ ହରାଇଛନ୍ତି।

ସୂଚନାନୁଯାୟୀ, କଲେଜ ଛାତ୍ରୀଙ୍କୁ ଆପତ୍ତିଜନକ କାର୍ଯ୍ୟରେ ନିୟୋଜିତ କରିବାକୁ ବାଧ୍ୟ କରୁଥିବା ଅଭିଯୋଗରେ ଜଣେ ମହିଳା ପ୍ରଫେସରଙ୍କୁ ଗିରଫ କରାଯାଇଥିଲା। ସେ ରାଜ୍ୟପାଳଙ୍କ ନିକଟତର ବୋଲି ଦାବି କରିଥିଲେ। ଏ ନେଇ ରାଜଭବନରେ ଉକ୍ତ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା। ତେବେ ଘଟଣା ପରେ ରାଜ୍ୟର ଖବରଦାତାମାନେ ଏକ ସ୍ବାକ୍ଷର ଅଭିଯାନ କରୁଛନ୍ତି। ଏହାକୁ ଏକ ପିଟିଶନ୍‌ ଭାବେ ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି।

ପଢନ୍ତୁ; ପ୍ରଚଣ୍ଡ ତାତି! ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ଡେଇଁଲା