Loading...

‘ସୁଗାର ଫ୍ରି’ ମିଠା, କେକ୍ ପାଇଁ ଜାରି ହେଲା ଗାଇଡଲାଇନ

‘ସୁଗାର ଫ୍ରି’ ମିଠା, କେକ୍ ପାଇଁ ଜାରି ହେଲା ଗାଇଡଲାଇନ

ଖୋଲା ବଜାରରେ ଉପଲବ୍ଧ ହେଉଥିବା ‘ସୁଗାର ଫ୍ରି’ ମିଠାକୁ ନେଇ ବିବାଦ ହେବା ପରେ ରାଜ୍ୟ ଖାଦ୍ୟ ନିରାପତ୍ତା କମିସନରଙ୍କ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦେଶନାମା ଜାରି ହୋଇଛି।

ଖୋଲା ବଜାରରେ ଉପଲବ୍ଧ ହେଉଥିବା ‘ସୁଗାର ଫ୍ରି’ ମିଠାକୁ ନେଇ ବିବାଦ ହେବା ପରେ ରାଜ୍ୟ ଖାଦ୍ୟ ନିରାପତ୍ତା କମିସନରଙ୍କ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦେଶନାମା ଜାରି ହୋଇଛି। ଏଣିକି ମିଠା ଓ କେକ୍ ପ୍ରସ୍ତୁତ ଓ ବିକ୍ରି କରୁଥିବା ଦୋକାନୀମାନେ ସୁଗାର ଫ୍ରି ବଦଳରେ କମ୍ ବା ସ୍ବଳ୍ପ ସୁଗାର ବା ଚିନି ରହିଥିବା ଉଲ୍ଲେଖ କରିବେ। ଫଳରେ ସାଧାରଣ ଲୋକଟିଏ ସୁଗାର ଫ୍ରି ମିଠା/କେକ୍‌କୁ ନେଇ ଭ୍ରମିତ ହେବନାହିଁ। ରାଜଧାନୀରେ ଅଧିକାଂଶ ମିଠା ଦୋକାନୀ ମଧୁମେହ ରୋଗରେ ଆକ୍ରାନ୍ତ ‌ଲୋକମାନଙ୍କ ପାଇଁ ‘ସୁଗାର ଫ୍ରି’ ମିଠା ପ୍ରସ୍ତୁତ କରାଯାଉଥିବା ଦାବି କରୁଛନ୍ତି। ମାତ୍ର ଏସବୁ ମିଠା ଯେ ପ୍ରକୃତରେ ସୁଗାର ଫ୍ରି ନୁହେଁ ତାହା ପରୀକ୍ଷା ପରେ ଜଣାପଡ଼ିଥିଲା। ଗତ ଅକ୍ଟୋବରରେ ରାଜଧାନୀର ଏକ ମିଠା ଦୋକାନରୁ ନମୁନା ସଂଗ୍ରହ କରାଯାଇ ରାଜ୍ୟ ଖାଦ୍ୟ ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିଲା। ନମୁନାରେ ସୁଗାର ବା ଚିନି ରହିଥିବା ସ୍ପଷ୍ଟ ହୋଇଥିଲା। ହେଲେ ସଂପୃକ୍ତ ମିଠା ନମୁନାରେ କେତେ ମାତ୍ରାରେ ଚିନି ରହିଥିଲା ସେ ସଂପର୍କରେ ଜଣାପଡ଼ି ନ ଥିଲା। ଏହି ବିବାଦ ଦେ‌ଖାଦେବା ପରେ ରାଜ୍ୟ ଖାଦ୍ୟ ନିରାପତ୍ତା ପକ୍ଷରୁ ପୁଣିଥରେ ରାଜଧାନୀର ଏକାଧିକ ଦୋକାନରୁ ସୁଗାର ଫ୍ରି ମିଠାର ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ଏଥିରେ ମଧ୍ୟ ଆବଶ୍ୟକତାଠାରୁ ଅଧିକ ଚିନି ରହିଥିବା ସ୍ପଷ୍ଟ ହୋଇଥିଲା। ତେଣୁ ଏହି ବିବାଦକୁ ଦୂର କରିବା ଲାଗି ଖାଦ୍ୟ ନିରାପତ୍ତା କମିସନରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ନିର୍ଦେଶାନାମା ଜାରି କରାଯାଇଛି। ନିର୍ଦେଶନାମାରେ କୁହାଯାଇଛି ଯେ ଖାଦ୍ୟ ନିରାପତ୍ତା ଓ ମାନଦଣ୍ଡ(ବିଜ୍ଞାପନ ଓ ଦାବି) ନିୟମାବଳୀ ୨୦୧୮ ଅନୁଯାୟୀ ସୁଗାର ବା ଚିନିର ଅର୍ଥ ହେଉଛି ମନୋସାକାରିଡ୍‌(ଗ୍ଲୁକୋଜ, ଫ୍ରୁକ୍ ଟୋଜ ପ୍ରମୁଖ) ଓ ଡାଇସାକାରିଡ୍‌(ମାଲଟୋଜ୍, ସୁକ୍ରୋଜ, ଲାକ୍ଟୋଜ ପ୍ରମୁଖ)। ୧୦୦ ଗ୍ରାମ୍ ମିଠାଜାତୀୟ ଦ୍ରବ୍ୟରେ ୫ ଗ୍ରାମ୍‌ରୁ କମ୍ ଚିନି ଓ ୧୦୦ ମି.ଲି ତରଳଦ୍ରବ୍ୟରେ ୨.୫ ଗ୍ରାମ୍ ଚିନି ରହିଥିଲେ ତାହାକୁ କମ୍ ସୁଗାର ବୋଲି ଧରାଯିବ। ସୁଗାର ଫ୍ରି ହେବାକୁ ହେଲେ ୧୦୦ ଗ୍ରାମ୍ କଠିନ କିମ୍ବା ତରଳଦ୍ରବ୍ୟରେ ୦.୫ ଗ୍ରାମ୍ ଚିନି ବା ସୁଗାର ରହିବା ଜରୁରୀ। ତେଣୁ ଦୋକାନୀମାନେ ସୁଗାରର ଏହି ଦୁଇଟି ମାପଦଣ୍ଡକୁ ନେଇ ନିଜ ଦୋକାନରେ ବିକ୍ରି ହେଉଥିବା ମିଠା ସୁଗାର ଫ୍ରି କି କମ୍ ସୁଗାର ତାହା ଉଲ୍ଲେଖ କରିବେ। ଦୋକାନୀମାନେ ଏହାକୁ ଅନୁପାଳନ କରୁଛନ୍ତି କି ନାହିଁ ପରବର୍ତୀ ସମୟରେ ଏହାର ଯାଞ୍ଚ କରାଯିବ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ମିଠା ବା କେକ୍‌କୁ ସଂପୂର୍ଣ୍ଣ ସୁଗାର ଫ୍ରି କରିବା ପାଇଁ ବଜାରରେ ଯେଉଁ ଦ୍ରବ୍ୟ ଉପଲବ୍ଧ ହେଉଛି, ତାହାକୁ ବ୍ୟବହାର କରିବା ଦୋକାନୀମାନଙ୍କ କ୍ଷେତ୍ରରେ ଏକପ୍ରକାର ଅସମ୍ଭବ। ଏହାଦ୍ବାରା ମିଠାର ଦର ୫ଗୁଣା ବୃଦ୍ଧି ପାଇବ। ଯାହାକି ବ୍ୟବସାୟିକ ଦୃଷ୍ଟିରୁ ବି ଫଳପ୍ରଦ ନୁହେଁ। ମାତ୍ର ଯେଉଁ ଦୋକାନୀମାନେ ନିଜ ମିଠାକୁ ସଂପୂର୍ଣ୍ଣ ସୁଗାର ଫ୍ରି କରିବାକୁ ଚାହିଁବେ ସେମାନେ ଏହାକୁ ବ୍ୟବହାର କରିପାରନ୍ତି। ମାତ୍ର କମ୍ କ୍ୟାଲୋରିଯୁକ୍ତ ମିଠା ଓ କେକ୍ ପ୍ରସ୍ତୁତ କରିବା ସହିତ ଏହାକୁ ବିକ୍ରି କରିବା ଦୋକାନୀମାନେ ଗୁରୁତ୍ବ ଦେବା ଦରକାର।

ରାଜ୍ୟ ଖାଦ୍ୟ ନିରାପତ୍ତା କମିସନର କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ସୁଗାର ଫ୍ରି ମିଠା ସଂପର୍କିତ ନିର୍ଦେଶାବଳୀକୁ ମିଠା ବ୍ୟବସାୟୀ ସଂଘକୁ ଜଣାଇ ଦିଆଯାଇଛି। ସଂଘ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଅତିକମ୍‌ରେ ୩ମାସ ସମୟ ନିଆଯାଇଛି। ତେଣୁ ଏହି ସମୟ ଭିତରେ ଦୋକାନୀମାନଙ୍କୁ ସୁଗାର ଫ୍ରି ମିଠା ପ୍ରସ୍ତୁତି ବାବଦରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଆସନ୍ତା ଆର୍ଥିକବର୍ଷରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ସେଥିରେ ଯଦି କୌଣସି ପ୍ରକାର ବ୍ୟତିକ୍ରମ ନଜରକୁ ଆସେ ତାହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.