News

ମହାନଦୀରେ ଆସୁଛି ବନ୍ୟା,ହୀରାକୁଦ ଖୋଲିଲା ୨୫ ଗେଟ୍‌

By Krishna Kumar Manoj

August 29, 2018

ମହାନଦୀରେ ବନ୍ୟା ଆଶଙ୍କା। ହୀରାକୁଦରୁ ୨୫ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ପୂର୍ବରୁ ୨୦ଟି ଗେଟ ଦେଇ ବନ୍ୟା ଜଳ ଛଡାଯାଉଥିଲା । ମହାନଦୀ ଅବବାହିକାରେ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସମ୍ବଲପୁର ତଳିଆ ଅଂଚଳ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଏସଆରସି କହିଛନ୍ତି। ଆଜି ସକାଳେ ୮ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳୀ ଦେଇ ପ୍ରବାହିତ ହେବ ବୋଲି ଏସଆରସି କହିଛନ୍ତି ।ଗତକାଲି ସନ୍ଧ୍ୟାରେ ୬ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳି ଦେଇ ପ୍ରବାହିତ ହେଉଥିଲା।

ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ଥିବା ବେଳେ ବର୍ତ୍ତମାନ ଜଳସ୍ତର ରହିଛି ୬୨୧.୯୭ ଫୁଟ୍‌ । ହାରାକୁଦର ଏତେ ସଂଖ୍ୟକ ଗେଟ୍ ଖୋଲାଯିବା ଫଳରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲାମାନଙ୍କରେ ବନ୍ୟା ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାପାଇଁ କୁହାଯାଇଛି । ଏହା ବ୍ୟତୀତ ଏନଡିଆରଏଫ , ଓଡ୍ରାଫ ଏବଂ ଅଗ୍ନିଶମ କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ତଳିଆ ଅଂଚଳ ଲୋକମାନଙ୍କୁ ଅନ୍ୟତ୍ର ତୁରନ୍ତ ସ୍ଥାନାନ୍ତର କରିବାକୁ କୁହାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ପ୍ରକାଶ କରିଛନ୍ତି।

ଗତ ୨୪ ଘଣ୍ଟା ଭିତରେ ସମ୍ବଲପୁରରେ ୯୩.୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହାସହ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ସମ୍ବଲପୁର ସମେତ ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଯାଜପୁର, ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି।

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିବାକୁ ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି। ଓଡ୍ରାଫ୍ ଓ ଏନଡିଆର୍‌ଏଫ୍ ଟିମ୍ ସଜାଗ ରହିଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

ପଢନ୍ତୁ; ବିଜେଡିରେ ଯୋଗଦେଲେ ଅମର ପଟ୍ଟନାୟକ