News

ହାଇଦ୍ରାବାଦ ବିସ୍ଫୋରଣ ଘଟଣା:ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ

By ENO Beuro

September 11, 2018

ପ୍ରାୟ ୧୧ବର୍ଷ ତଳେ ହାଇଦ୍ରାବାଦରେ ଘଟିଥିବା ଟୁଇନ୍‌ ବିସ୍ଫୋରଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ର ୨ ଆତଙ୍କବାଦୀ ଅନିକ୍‌ ସୟିଦ ଓ ଇସ୍ମାଇଲ୍‌ ଚୌଧୁରୀଙ୍କୁ ଆଜି ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ଏହି ଘଟଣାରେ ସଂପୃକ୍ତ ଥିବା ତାରିକ୍‌ ଅଞ୍ଜୁମ୍‌କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।୨୫ ଅଗଷ୍ଟ ୨୦୦୭ରେ ହାଇଦ୍ରାବାଦରେ ଏହି ବୋମା ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ୪୪ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୬୮ ଜଣ ଆହତ ହୋଇଥିଲେ। ହାଇଦ୍ରାବାଦର ଲୁମ୍ବିନି ପାର୍କ ଏବଂ ‘ଗୋକୁଲ ଚାଟ୍‌ ଭଣ୍ଡାର’ରେ ଏହି ବିସ୍ଫୋରଣ ଘଟିଥିଲା।

ଏହି ମାମଲାରେ ଅନ୍ୟ ୩ ଜଣ ଅଭିଯୁକ୍ତ ରିୟାଜ ଭଟ୍‌କଲ, ଇକବାଲ ଭଟ୍‌କଲ ଏବଂ ଅମୀର ରେଜା ଏଯାବତ୍‌ ଫେରାର ରହିଥିବା ଜଣାପଡ଼ିଛି। ସେମାନେ ପାକିସ୍ତାନରେ ଥାଇ ପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ମାମଲାର ତଦନ୍ତ କରୁଥିବା ତେଲେଙ୍ଗାନା ପୁଲିସ ଏହି ମାମଲାରେ ୫ ଆଇଏମ୍‌ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ତେବେ ମାମଲାରେ ସମୁଦାୟ ୮ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଛି। ସମସ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଅଧୀନରେ ମାମଲା ରୁଜୁ ହୋଇଥିଲା।

ପଢନ୍ତୁ;ଜିଲ୍ଲା ଓ ନିମ୍ନ କୋର୍ଟଗୁଡ଼ିକୁ ୱାନ୍ ସଂଯୋଗ