SPORTS

ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟେଷ୍ଟ,ସମ୍ମାନ ବଞ୍ଚାଇବାକୁ ଭାରତ ପାଇଁ ଶେଷ ସୁଯୋଗ

ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ତୃତୀୟ ତଥା ଶେଷ ଟେଷ୍ଟ ବୁଧବାରଠାରୁ ଜୋହାନେସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯିବ। କେପଟାଉନ ଏବଂ ସେଞ୍ଚୁରିଅନରେ ଖେଳା ଯାଇଥିବା ପ୍ରଥମ ଦୁଇ ଟେଷ୍ଟରେ ପରାଜିତ ହୋଇ ଶୃଙ୍ଖଳା ହାତଛଡ଼ା କରି ସାରିଥିବା ଭାରତୀୟ କ୍ରିକେଟ୍‌ ଦଳ ପାଇଁ ସମ୍ମାନରକ୍ଷାର ଏହା ଶେଷ ସୁଯୋଗ ହେବ। ଜୋହାନେସବର୍ଗରେ ଜିତି ନ ପାରିଲେ ଆଇସିସି ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଭାରତ ଲଜ୍ଜାଜନକ ଭାବେ ୦-୩ରେ ଶୃଙ୍ଖଳା ହାରିବ ।ଏପରି ସ୍ଥିତିରେ ସମ୍ମାନ ବଞ୍ଚାଇବା ଲାଗି ଏହା ଭାରତର ଶେଷ ସୁଯୋଗ । ଗତ ୨୫ ବର୍ଷରେ ଥରେ ମଧ୍ୟ ଏହିଦେଶରେ ଭାରତ ସିରିଜ୍‌ର ସମସ୍ତ ଟେଷ୍ଟ ହାରିନାହିଁ ।

ଏହି ସିରିଜ୍‌ ପୂର୍ବରୁ କ୍ରମାଗତ ୯ଟି ଟେଷ୍ଟ ସିରିଜ୍‌ ଜିତିଥିବା ଭାରତୀୟ ଦଳର ବିଜୟଧାରା ଭଙ୍ଗହୋଇଛି ।ପ୍ରଥମ ଟେଷ୍ଟରେ ପ୍ରଥମ ୫ ଓଭରରେ ୩ଟି ୱିକେଟ ନେବା ସତ୍ତ୍ୱେ ଏବଂ ଦକ୍ଷିଣ ଆଫ୍ରିକାକୁ ୨ୟ ଇନିଂସରେ ୧୩୦ ରନ୍‌ରେ ଅଲ୍‌ଆଉଟ କରିବା ପରେ ମଧ୍ୟ ଭାରତ ପରାସ୍ତ ହୋଇଥିଲା । ୨ୟ ଟେଷ୍ଟରେ ଅଧିନାୟକ ବିରାଟ କୋହଲି ଦେଢ଼ଶହ ରନ୍‌ ମାରିଥିଲେ ହେଁ ଭାରତ ପରାଜିତ ହୋଇଥିଲା । ସ୍ୱୀକାର କରିବାକୁ ହେବ ଯେ ଭାରତୀୟ ବୋଲର ଚମକ୍ରାର ପ୍ରଦର୍ଶନ କରିଛନ୍ତି ଏବଂ ୨ଟି ଟେଷ୍ଟରେ ୪୦ଟି ୱିକେଟ ନେଇ ପାରିଛନ୍ତି ।

ତେବେ ପ୍ରଥମ ଟେଷ୍ଟରେ ହାର୍ଦିକ ପାଣ୍ଡ୍ୟା ଏବଂ ୨ୟ ଟେଷ୍ଟରେ କୋହଲିଙ୍କୁ ଛାଡ଼ି ଅନ୍ୟ ସମସ୍ତ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ବିଫଳ ହୋଇଛନ୍ତି । ଏହି ସିରିଜ୍‌ ପୁଣି ପ୍ରମାଣିତ କରିଛି ଯେ ବିଦେଶମାଟିରେ ପେସ୍‌ ବୋଲିଂର ମୁକାବିଲା କରିବାକୁ ଆମ ବ୍ୟାଟ୍‌ସମ୍ୟାନ୍‌ ଅସମର୍ଥ । ୨ୟ ଟେଷ୍ଟର ୨ୟ ଇନିଂସରେ ଜୀବନର ପ୍ରଥମ ଟେଷ୍ଟ ଖେଳିଥିବା ଲୁଙ୍ଗି ଏନ୍‌ଗିଡ଼ି ୬ଟି ୱିକେଟ ନେଇ ଭାରତୀୟ ବ୍ୟାଟିଂକୁ ଧ୍ୱସ୍ତକରିବା ଏହାର ପ୍ରମାଣ । ବୋଲିଂରେ ଉଭୟ ଦଳ ସମାନ ପ୍ରଦର୍ଶନ କରିଥିବା ବେଳେ ଫରକ ହୋଇଛି ବ୍ୟାଟିଂ । ଭାରତର ୩ ଜଣ ଭଲ ରନ୍‌ କରିଥିବା ବେଳେ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିଅର୍ସ, ଐଡେନ୍‌ ମାର୍କରାମ୍‌, ଫାଫ୍‌ ଡୁ ପ୍ଲେସି, ଡିନ୍‌ ଏଲ୍‌ଗାର ଓ ହାସିମ୍‌ ଆମ୍‌ଲା ବଡ଼ ସ୍କୋର୍‌ କରିଛନ୍ତି ।

ସିରିଜ୍‌ ଜିତିଥିବାରୁ ଦକ୍ଷିଣ ଆଫ୍ରିକା ବିନା ଚାପରେ ଖେଳିବ । ଏଥି ପ୍ରତି ଭାରତକୁ ସତର୍କ ରହିବାକୁ ପଡ଼ିବ ।ରୋହିତ ଶର୍ମାଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେ ଖେଳିପାରନ୍ତି ।  ପେସ୍‌ ବୋଲର ଭୁବନେଶ୍ୱର କୁମାର ଏକାଦଶକୁ ଫେରିବା ନିଶ୍ଚିତ ହୋଇଥିବା ବେଳେ ଈଶାନ୍ତ ଶର୍ମାଙ୍କ ସ୍ଥାନ ସେ ନେଇପାରନ୍ତି । ଦକ୍ଷିଣ ଆଫ୍ରିକା ଅପରିବର୍ତ୍ତିତ ଏକାଦଶ ନେଇ ଖେଳିବାର ଯୋଜନା କରଛି । ତେବେ ପିଚ୍‌ରେ ସ୍ପିନରଙ୍କୁ କମ୍‌ ସହାୟତା ମିଳିବାର ଥିବାରୁ ବାମହାତି କେଶବ ମହରାଜଙ୍କ ସ୍ଥାନରେ ବ୍ୟାଟ୍‌ସମ୍ୟାନ୍‌ ଥୁ୍ୟନିସ୍‌ ଡି ବ୍ରୁଇନ୍‌ କିମ୍ବା ପେସ୍‌ ବୋଲର ଆନ୍ଦିଲେ ଫେଲୁକ୍ୱାୟୋ ଖେଳିପାରନ୍ତି । ୱାଣ୍ଡରର୍ସର ପିଚ୍‌ ଚଳିତ ସିରିଜ୍‌ର ସବୁଠାରୁ ଦ୍ରୁତତମ ହେବ ବୋଲି କୁ୍ୟରେଟର କହିଛନ୍ତି । ଏହି ପିଚ୍‌ରେ ଗତି ଓ ବାଉନ୍‌ସ ରହିବ ।ଭାରତୀୟ ବୋଲର ସେମାନଙ୍କ ଭଲ ପ୍ରଦର୍ଶନ ଜାରି ରଖିପାରନ୍ତି । ତେବେ ବ୍ୟାଟିଂକୁ ନେଇ ଏବେ ବି ଚିନ୍ତା ରହିଛି । ପୂର୍ବ ୨ଟି ଟେଷ୍ଟର ଫଳାଫଳକୁ ଭୁଲି ଭାରତ ପ୍ରକୃତରେ ବିଶ୍ୱର ୧ନଂ ଦଳ ଭାବେ ନିର୍ଭୟ କ୍ରିକେଟ ଖେଳିଲେ; ଘରୋଇଦଳକୁ ପରାସ୍ତକରିବା କଷ୍ଟକର ହେବନାହିଁ ।

ପଢନ୍ତୁ ;

ସୁସ୍ଥ ଶରୀର ପାଇଁ ଆପଣାନ୍ତୁ ଏହି ୪ଟି ଟିପ୍ସ

Related posts

ଫୋର୍ବସ ଧନୀ ଖେଳାଳି ତାଲିକା: ଶ୍ରେଷ୍ଠ ୧୦୦ରେ କୋହଲି ଏକମାତ୍ର କ୍ରିକେଟର୍

ENO Beuro

ଏଥର ଭାରତ ନୁହେଁ ଇଂଲଣ୍ଡ ବିଶ୍ୱକପ୍ ପାଇଁ ଟାଇଟଲ୍ ଦାବିଦାର ହେବ: ରବି ଶାସ୍ତ୍ରୀ

Ratnamani Moharana

ଦ୍ଵିତୀୟ ଟି-୨୦: ରୋହିତଙ୍କ ଦୀପାବଳି ଭେଟି,ସିରିଜ ଜିତିଲା ଭାରତ

ENO Beuro

Leave a Comment